Categories: ବାଣିଜ୍ୟ

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଦାୟିତ୍ୱ ନେଲେ ଶେଫାଳି ଶରଣ

ଭୁବନେଶ୍ୱର, ୨।୪, (ଅସମାପିକା ସାହୁ): ମନୀଷ ଦେଶାଇଙ୍କ ଅବସର ପରେ ଶେଫାଳି ବି ଶରଣ ସୋମବାର ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶରଣ ୧୯୯୦ ବ୍ୟାଚ୍‌ର ଭାରତୀୟ ସୂଚନା ସେବା ଅଧିକାରୀ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେ ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଭଳି ବିଭିନ୍ନ ମନ୍ତ୍ରଣାଳୟ ପାଇଁ ପତ୍ର ସୂଚନା କାର୍ଯ୍ୟାଳୟ ଅଧିକାରୀ ଭାବରେ ମୁଖ୍ୟତଃ ଗଣମାଧ୍ୟମ ପ୍ରଚାର ଦାୟିତ୍ୱ ତୁଲାଇଛନ୍ତି। ସେ ଭାରତୀୟ ନିର୍ବାଚନ ଆୟୋଗଙ୍କ ମୁଖପାତ୍ର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ସେ କେନ୍ଦ୍ରୀୟ କର୍ମଚାରୀ ନିଯୁକ୍ତି ଯୋଜନା ଡେପୁଟେଶନରେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ(ପାରମ୍ପରିକ ଚିକିତ୍ସା ପଦ୍ଧତି/ଆୟୁଷ ବିଭାଗ) ଏବଂ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରଣାଳୟ(ଆର୍ଥିକ ବ୍ୟାପାର ବିଭାଗ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସେହିପରି ସେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସୂଚନା ନୀତି ବିଭାଗରେ ଓଏସ୍‌ଡି କ୍ୟାଡର ପଦବୀରେ କାର୍ଯ୍ୟ କରିବା ସହିତ ୨୦୦୭-୨୦୦୮ ପର୍ଯ୍ୟନ୍ତ ଏଲ୍‌ଏସ୍‌ଟିଭି, ଲୋକସଭା ସଚିବାଳୟର ପ୍ରଶାସନିକ ଓ ଅର୍ଥ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ତେବେ ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ଶରଣଙ୍କୁ ପତ୍ର ସୂଚନା କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ।

Share