Categories: ଜାତୀୟ

‘ତୁମ ଗୟେ ତୋ ରୁଠ୍‌ ଗୟେ ଦିନ ବାହାର କେ’, ଜଷ୍ଟିସ କୌଲଙ୍କ ଫେରଓ୍ବେଲରେ ଫେଜ ଅହମ୍ମଦଙ୍କ ଶାୟରୀ କହିଲେ ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୧୬।୧୨:ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ସଞ୍ଜୟ କିଶାନ କୌଲ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ସର୍ବୋଚ୍ଚ ନ୍ୟାୟଳରେ ତାଙ୍କର ୬ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି। ତେବେ ତାଙ୍କୁ ବିଦାୟକାଳୀନ ସମର୍ଦ୍ଧନା ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଦେଶର ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଭାବପ୍ରବଣ ହୋଇଯାଇଥିବା ନଜର ଆସିଛନ୍ତି। ଜଷ୍ଟିସ କୌଲଙ୍କ ସହ ତାଙ୍କର ସମ୍ପର୍କ ୪୭ବର୍ଷର। ତେଣୁ ସେ କିଛି ଖାସ୍‌ ଅନ୍ଦାଜରେ ନିଜ ବନ୍ଧୁ ଓ ସହଯୋଗୀଙ୍କୁ ବିଦାୟ ଦେଇଛନ୍ତି। କାର୍ଯ୍ୟକ୍ରମରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ କୌଲଙ୍କ ପାଇଁ ଶାୟର ଫେଜ ଅହମଦ ଫେଜଙ୍କ କିଛି ପକ୍ତି କହୁଥିବା ନଜର ଆସିଛନ୍ତି। ସେ କୌଲଙ୍କ ଉଦ୍ଦେଶ୍ୟରେ କହୁଛନ୍ତି, ‘Veeran hai maqaida, khum-o-sagar udas hai. Tum gaye toh rooth gaye din bahar ke’।

ଜଷ୍ଟିସ ଚନ୍ଦ୍ରଚୁଡ ଅତୀତର କିଛି ପୁରୁଣା ସ୍ମୃତିକୁ ମନ ପକାଇ କହିଛନ୍ତି, ଜଷ୍ଟିସ କୌଲଙ୍କ ସହ ମୋର ପ୍ରଥମ ସାକ୍ଷାତ ସେଣ୍ଟ ଷ୍ଟେଫେନ କଲେଜରେ ହୋଇଥିଲା। ଏମରଜେନ୍ସି ଲାଗୁ ହେବା ପରେ ଆମେ କଲେଜର ପ୍ରଥମ ବ୍ୟାଚ ଥିଲୁ। କଲେଜ କ୍ୟାଣ୍ଟିନରେ ଦୁହେଁ ଗୁଡାଏ ଜିନିଷ ନେଇ ଚର୍ଚ୍ଚା କରୁଥିଲୁ। ଦୁହେଁ ଫିଲ୍ମ ଦେଖିବାକୁ ଏତେ ଭଲ ପାଉଥିଲୁ କି ଯାହା ପରବର୍ତ୍ତୀ ସମୟରେ ଭଲ ବନ୍ଧୁ ହୋଇଯାଇଥିଲୁ। କଲେଜ ଦିନରେ କୌଲ ଛାତ୍ର ନିର୍ବାଚନରେ ଛିଡା ହେଉଥିଲେ। ଆଉ ମୋତେ ତାଙ୍କ ଘୋଷଣାପତ୍ର ଲେଖିବାର ସୁଯୋଗ ମିଳୁଥିଲା।

ଚନ୍ଦ୍ରଚୂଡ ଆହୁରି କହିଛନ୍ତି, ସେଣ୍ଟ ଷ୍ଟେଫେନରେ ଗ୍ରାଜୁଏଟ ହେବା ପରେ ଦୁହିଁଙ୍କ ଭେଟ ଦିଲ୍ଲୀ ୟୁନିଭରସିଟିରେ ହୋଇଥିଲା। କୌଲଙ୍କୁ ଲ’ପଢିବା ପସନ୍ଦ ନ ଥିଲା। କିନ୍ତୁ ତତ୍କାଳୀନ ମୁଖ୍ୟ ବିଚାରପତି ବିଏନ କୃପାଳଙ୍କ ପରାମର୍ଶ ହେତୁ ସେ ଲ ପଢିଥିଲେ। ୟୁନଭରିସିଟି ଆମେ ଦୁହେଁ ବ୍ୟାଚମେଟ୍‌ ଥିଲୁ। ଏବଂ ସେହିଠାରୁ ହିଁ ଏକାଠି ଆଇନ ଡିଗ୍ରୀ ହାସଲ କରିଥିଲୁ।

Share