ଭୁବନେଶ୍ୱର,୧୭ା୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ । ୧୯୯୯ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ଅନେକ ଜନକଲ୍ୟାଣ ମୂଳକ କାର୍ଯ୍ୟକରି ସାଧାରଣ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ରାଜ୍ୟର ବିକାଶ ପାଇଁ ସେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି ।
ରାଜ୍ୟ ଭାଜପାର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ସେବା ଓ ସଂକଳ୍ପ ମନୋଭାବରେ ସେ ରାଜ୍ୟର ବିକାଶ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ । ଏହି ବର୍ଷିୟାନ ବ୍ୟକ୍ତିତ୍ୱଙ୍କ ବିୟୋଗ ଯୋଗୁ ଦେଶ ତଥା ରାଜ୍ୟ ଜଣେ ବିଶିଷ୍ଟ ଜନସେବକଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତାଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ନିଜର ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କର ‘ଅତୁଳନୀୟ ସାଂଗଠନିକ ଦକ୍ଷତା ପାଇଁ ସର୍ବଦା ସ୍ମରଣୀୟ ରହିବେ’ ବୋଲି କହିଛନ୍ତି।
ସୋମବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତାଙ୍କର ପରଲୋକ ଘଟିଛି। ଦେବେନ୍ଦ୍ର ପ୍ରଧାନ ବାଜପେୟୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ। ସେ ୧୯୮୮ରୁ ୧୯୯୩ ରାଜ୍ୟ ଭାଜପା ସଭାପତି ଥିଲେ। ୧୯୯୩ରୁ ୧୯୯୫ ରାଜ୍ୟ ଭାଜପାର ସାଧାରଣ ସମ୍ପାଦକ ଥିଲେ। ପୁନର୍ବାର ୧୯୯୫ରୁ ୧୯୯୭ ଯାଏ ସେ ଭାଜପା ସଭାପତି ରହିଥିଲେ। ୧୯୯୮ରେ ଦେବଗଡ଼ରୁ ଦେବେନ୍ଦ୍ର ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଜୀବନ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଓଡ଼ିଶାରେ ଦଳର ଅଗ୍ରଗତି ସହିତ ଗଭୀର ଭାବେ ଜଡ଼ିତ। ସେ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ଥିଲେ, ଯିଏ ରାଜ୍ୟରେ ଭାଜପାର ମୂଳଦୁଆ ସ୍ଥାପନ ଏବଂ ସଂଗଠନକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।