ଗଞ୍ଜାମ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୮: ଗଞ୍ଜାମ ସମ୍ବରଝୋଳ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ସହାୟତା ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତଙ୍କୁ ୧ ଲକ୍ଷ ଲେଖାଏ କ୍ଷତିପୂରଣ ଏବଂ ଆହତଙ୍କ ଚିକିତ୍ସା ସଂପୂର୍ଣ୍ଣ ମାଗଣା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ସକାଳୁ ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମ୍ବରଝୋଳ ତଥା କଞ୍ଜୁରୁ ଛକଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କରଟି ଏକ ଟ୍ରକ୍‌କୁ ଓଭରଟେକ କରିବାକୁ ଯାଇ ଯାତ୍ରୀବାହୀ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି।

‘ଖମ୍ବେଶ୍ୱରୀ’ ନାମକ ଯାତ୍ରୀବାହୀ ବସ୍‌ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରି ବ୍ରହ୍ମପୁର ଅଭିମୁଖେ ଆସୁଥିଲା। ସେହି ସମୟରେ ତେଲ ଟାଙ୍କରଟି ବ୍ରହ୍ମପୁରରୁ ଆସ୍କା ପଟକୁ ଆସୁଥିଲା। କଞ୍ଜୁରୁ ଛକଠାରେ ତେଲ ଟ୍ୟାଙ୍କରଟି ଏକ ଟ୍ରକ୍‌କୁ ଓଭରଟେକ କରୁଥିବା ବେଳେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

Share