ଭୁବନେଶ୍ୱର, ବାଲିଅନ୍ତା, ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୧୦( ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।
ଗତ ଅଗଷ୍ଟ ମାସ ୨୩ ତାରିଖରେ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀଗୁଡିକର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା। ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି।

ସୂଚନାଯୋଗ୍ୟ, ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି। ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତିକରଣ କାର୍ଯ୍ୟ କରାଯିବ। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Share