ମହିଳା ହକି ଦଳର ମନୋବଳ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନାଠାରୁ ୨-୧ ଗୋଲରେ ପରାସ୍ତ ହୋଇଛି। ହାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ଟିମ୍‌ର ମନୋବଳ ବଢାଇଛନ୍ତି। ସେମିରେ ଖୁବ୍‌ ସାହସିକତାର ସହ ମହିଳା ଟିମ୍‌ ପ୍ରଦର୍ଶନ କରିଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି। ମହିଳା ଦଳର ପ୍ରଦର୍ଶନ ଖୁବ୍‌ ଉତ୍ସାହଜନକ ଥିଲା। ଆଗାମୀ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ସେମିରେ ହାରିବା ପରେ ଏବେ ବ୍ରୋଞ୍ଜ ପଦକ ପାଇଁ ଟିମ୍‌ ଖେଳିବ।
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରତି ଭଲପାଇବା ଯୋଗୁ ୨୦୧୮ ପରଠାରୁ ରାଜ୍ୟ ସରକାର ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହି ଆସିଛନ୍ତି। ଓଡ଼ିଆ ପୁରୁଷ ଓ ମହିଳା ଖେଳାଳି ଭାରତୀୟ ଦଳରେ ସାମିଲ ହୋଇ ଓଡ଼ିଆ ଜାତିକୁ ସମଗ୍ର ବିଶ୍ୱରେ ଗର୍ବିତ କରିଛନ୍ତି। ଦୀର୍ଘ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ପ୍ରତିବଦ୍ଧତା, ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଏବଂ ହକି ଭିତ୍ତିଭୂମି ସୁଦୃଢ଼ୀକରଣ ଆଦି ଏହି ସଫଳତା ଆଣିବାରେ ସହାୟକ ହୋଇପାରିଛି। ଓଡ଼ିଶା ୨୦୧୮ରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିଥିବା ବେଳେ ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି। ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ତୃଣମୂଳସ୍ତରରୁ ଖେଳାଳି ଚୟନ ସହ ଅନ୍ତର୍ଜାତୀୟ ସ୍ତରର କୋଚ୍‌ମାନଙ୍କୁ ନେଇ ଯେଉଁ ତାଲିମ କାର୍ଯ୍ୟକ୍ରମ ଚାଲୁରହିଛି ସେ ସବୁର ସକାରାତ୍ମକ ପ୍ରଭାବ ଏବେ ଦେଖିବାକୁ ମିଳୁଛି।

Share