ପ୍ରଚାରରୁ ଫୁରସତ୍‌ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ବହି କିଣା, ପିଲାଙ୍କ ସହ ସେଲ୍‌ଫି ନେଇ ଫେରିଲେ…

ଭୁବନେଶ୍ୱର,୩୧ା୫(ଅନିଲ ଦାସ)-ମାସେ କାଳ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁର୍‌ସତ୍‌ ପାଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ସେ ବହି କିଣିବାକୁ ମାଷ୍ଟରକ୍ୟାଣ୍ଟିନସ୍ଥିତ ମଡର୍ନ ବୁକ୍‌ ଡିପୋରେ ପହଞ୍ଚିଥିଲେ । ସାଙ୍ଗରେ ଥିଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଗାଡ଼ିରୁ ଓହ୍ଲାଇ ସେ ସାଧାରଣ ଲୋକ ଭଳି ବୁକ୍‌ ଷ୍ଟୋର ଭିତରକୁ ଯାଇଥିଲେ । ସ୍ମିତହାସ୍ୟ ସହ ମୁଖ୍ୟମନ୍ତ୍ରୀ ବେଶ୍‌ ଫୂର୍ତ୍ତି ଜଣାପଡୁଥିଲେ । ବୁକ୍‌ ଷ୍ଟଲ୍‌ରୁ ଦେବବ୍ରତ ସ୍ବାଇଁଙ୍କ ଦ୍ବାରା ରଚିତ ସିକ୍ରେଟ୍ସ ଅଫ୍‌ ଶିମିଳିପାଳ ଏବଂ ଚାଲର୍‌ସ ଆଲେନଙ୍କ ଲିଖିତ ଆରିୟନ୍ସ ପୁସ୍ତକ କିଣିଥିଲେ। ବହି କିଣା ସାଙ୍ଗକୁ ସେଠାରେ ଉପସ୍ଥିତ ଲୋକଙ୍କ ସହ ନବୀନ କଥା ହୋଇଥିଲେ । ପିଲାଙ୍କ ସହ ସେଲ୍‌ଫି ନେବା ପରେ ସେ ନବୀନ ନିବାସ ଫେରିଯାଇଥିଲେ। ମୁଖ୍ୟମନ୍ତ୍ରୀ ଅଢ଼େଇ ହଜାର ଟଙ୍କାର ପୁସ୍ତକ କିଣିଥିବା ସୂଚନା ମିଳିଛି। ନବୀନଙ୍କର ପୁସ୍ତକ ପ୍ରତି ସ୍ବତନ୍ତ୍ର ରୁଚି ରହିଛି। ସେ କେବଳ ଜଣେ ରାଜନେତା ନୁହନ୍ତି, ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ। ଦ ଗାର୍ଡେନ ଅଫ୍‌ ଲାଇଫ୍‌, ଏ ସେକେଣ୍ଡ ପାରାଡାଇଜ ଓ ଏ ଡେଜର୍ଟ କିଙ୍ଗ୍‌ଡମ୍‌ ପୁସ୍ତକ ଲେଖି ବିଶ୍ବ ସାହିତ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।