Categories: ଜାତୀୟ

ଆଜି ମୁଖ୍ୟମନ୍ତ୍ରୀ-ମୁଖ୍ୟ ବିଚାରପତି ସମ୍ମିଳନୀ

ନୂଆଦିଲ୍ଲୀ,୩୦ା୪: ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉଦ୍‌ଘାଟନ କରିବେ। ଏଥିରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ଉପସ୍ଥିତ ରହିବେ। ସମ୍ମିଳନୀରେ ଯୋଗଦେବା ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିଲ୍ଲୀରେ ପହଞ୍ଚତ୍ଛନ୍ତି। ସେ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଥିବା ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ ଡାକିଥିବାରୁ ସେ ଏଥିରେ ଯୋଗଦେବା ଲାଗି ଆସିଥିବା କହିଛନ୍ତି। ୬ ବର୍ଷ ବ୍ୟବଧାନ ପରେ ଏଭଳି ଏକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ନ୍ୟାୟପାଳିକା ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜ ସମ୍ପର୍କରେ ଉକ୍ତ ସମ୍ମିଳନୀରେ ଆଲୋଚନା କରାଯିବ। କୋର୍ଟଗୁଡ଼ିକରେ ଭିତ୍ତିଭୂମିର ବିକାଶ ଲାଗି ସିଜେଆଇ ଦେଇଥିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହେବ। ଏହା ବ୍ୟତୀତ କୋର୍ଟଗୁଡ଼ିକରେ ଖାଲି ପଡ଼ିଥିବା ବିଚାରପତି ପଦ, ବିଚାର ଅପେକ୍ଷାରେ ପଡ଼ିରହିଥିବା ମାମଲା ସଂଖ୍ୟା ହ୍ରାସ କରିବା, ନ୍ୟାୟିକ ସହାୟତା ସେବା, ଭବିଷ୍ୟତ କାର୍ଯ୍ୟଯୋଜନା ଏବଂ ଇ-କୋର୍ଟ ତୃତୀୟ ପର୍ଯ୍ୟାୟ ପରିକଳ୍ପନା ଆଲୋଚନାରେ ସ୍ଥାନ ପାଇବ ବୋଲି ଜଣାପଡ଼ିଛି। ଦିବସବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ସିଜେଆଇ ଏବଂ କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ ଉଦ୍‌ବୋଧନ ଦେବେ।

Share