Categories: ଜାତୀୟ

କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣକୁ ନେଇ ଜରୁରୀ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪।୧୧: ଗତ କିଛି ଦିନରୁ ରାଜଧାନୀ ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି। ଏହା ଦିଲ୍ଲୀବାସୀଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଗୁରୁବାର ଏକ ରିଭ୍ୟୁ ମିଟିଂ ଡକାଇଛନ୍ତି। ଏହି ବୈଠକରେ ଆଇସିୟୁ, ଭେଣ୍ଟିଲେଟର ଉପରେ ଆଲୋଚନା କରାଯିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପରେ ଅନେକ ଡାକ୍ତରଖାନାରେ ଭେଣ୍ଟିଲେଟର ଅଭାବ ଦେଖାଦେଇଛି। ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଅଭାବ ନ ହେବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି। ଏଥିସହ ଘରୋଇ ଡ଼ାକ୍ତରଖାନାରେ ୮୦ ପ୍ରତିଶତ ଆଇସିୟୁ ଶଯ୍ୟା ସଂରକ୍ଷଣ ପାଇଁ ହାଇକୋର୍ଟରେ ହୋଇଥିବା ଆବେଦନ ମାମଲାକୁ ନେଇ ମଧ୍ୟ ଉକ୍ତ ବୈଠକରେ ଆଲୋଚନା ହେବ। କାରଣ ଏହି ମାମଲାରେ ରାଜ୍ୟ ସରକାରଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ତେବେ ଏହା ବିରୋଧରେ ରାଜ୍ୟସରକାର ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କେଜରିଓ୍ବାଲ କହିଛନ୍ତି। ଏଥିସହ ବାଣକୁ ନେଇ ମଧ୍ୟ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Share