ମୁଖ୍ୟମନ୍ତ୍ରୀଙ୍କୁ କିଛି ଜଣାନାହିଁ, କରୋନା ମୃତ୍ୟୁ କ୍ଷତିପୂରଣ ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୨୨।୧୧: କରୋନା ମୃତ୍ୟୁ କ୍ଷତିପୂରଣ ପ୍ରଦାନ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁଜରାଟ ରାଜ୍ୟ ସରକାରଙ୍କୁ ଭର୍ସନା କରାଯାଇଛି। ବିଚାରପତି ଏମ୍‌.ଆର୍‌.ଶାହା ଏବଂ ବି.ଭି. ନାଗରଥ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଏଭଳି କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶୀର୍ଷକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂଶୋଧିତ ତଥ୍ୟ ଜାରି ହୋଇଥିବା ସମ୍ପର୍କରେ ଅବଗତ କରାଇଥିଲେ।

ଏପରିସ୍ଥଳେ ଗୁଜରାଟ ରାଜ୍ୟ ସରକାରଙ୍କ ପକ୍ଷରୁ ଖଣ୍ଡପୀଠରେ ହାଜର ହୋଇଥିବା ଅତିରିକ୍ତ ମୁଖ୍ୟ ସଚିବ ମନୋଜ ଅଗ୍ରଓ୍ବାଲଙ୍କୁ ବିଚାରପତି ଶାହା ପ୍ରଶ୍ନ କରିଥିଲେ ଯେ, ଏକ୍ଷେତ୍ରରେ ଉପଯୁକ୍ତ କର୍ତ୍ତୃପକ୍ଷ କିଏ ? ମନୋଜ କହିଥିଲେ ଯେ ରାଜ୍ୟର ସର୍ବୋଚ୍ଚ କର୍ତ୍ତୃପକ୍ଷ।

ଶାହା ପ୍ରଶ୍ନ କରିଥିଲେ ସେ କିଏ। ମନୋଜ କହିଥିଲେ ସେ ହେଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ। ଏହାର ଉତ୍ତରରେ ଶାହା କହିଥିଲେ ଯେ, ତୁମ ମୁଖ୍ୟମନ୍ତ୍ରୀଙ୍କୁ କିଛି ଜଣାନାହିଁ। ସଚିବ ଭାବେ ସେଠାରେ ତୁମର କାମ କ’ଣ ବୋଲି ଶାହା ପଚାରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ ସେ ବୁଝି ପାରୁଛନ୍ତି ଅବା ତାଙ୍କୁ ଇଂଲିଶ୍‌ ଜଣା ଅଛି କି ନାହିଁ ତାହା ଶାହା ମନୋଜଙ୍କୁ ପ୍ରଶ୍ନ କରିଥିଲେ।

ଏପରିସ୍ଥଳେ ସୋଲିସିଟର ଜେନେରାଲ ମିଥ୍ୟା ଦାବି କରାଯାଉଥିବା ସମ୍ପର୍କରେ ଅବଗତ କରାଇଥିଲେ। ଏହାର ଉତ୍ତରରେ ନାଗରଥ୍ନା କହିଥିଲେ ରାଜ୍ୟରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମିଥ୍ୟା ଅଭିଯୋଗ କଥା ଉଠାଇ ଯୋଗ୍ୟ ହିତାଧିକାରୀଙ୍କୁ କ୍ଷତି ପୂରଣ ପ୍ରଦାନ କାର୍ଯ୍ୟକୁ ଅଟକାଇ ରଖିହେବ ନାହିଁ ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି। ଏପରିସ୍ଥଳେ ଏହାର ନକଲ କିପରି ହେବ ବୋଲି ନାଗରଥ୍ନା ପ୍ରଶ୍ନ କରିଥିଲେ।

Share