Categories: ଜାତୀୟ

ବାଜା ବଜାଇ ଶିନ୍ଦେଙ୍କୁ ସ୍ବାଗତ କଲେ ସ୍ତ୍ରୀ

ମୁମ୍ବାଇ,୬।୭: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ହେବାପରେ ଏକନାଥ ଶିନ୍ଦେ ପ୍ରଥମ ଥର ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବହୁ ସଂଖ୍ୟାରେ ଲୋକ ତାଙ୍କ ଥାନେସ୍ଥିତ ଘରେ ପହଞ୍ଚି ବାଜା ବଜାଇ ସ୍ବାଗତ କରିଥିଲେ। କେବଳ ଏତିକି ନୁହେଁ, ତାଙ୍କ ସ୍ତ୍ରୀ ଲତା ଏକନାଥ ଶିନ୍ଦେ ମଧ୍ୟ ବାଜା ବଜାଉଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଲତାଙ୍କ ବିଷୟରେ ଖୁବ କମ ଲୋକ ଜାଣନ୍ତି, କିନ୍ତୁ ସ୍ବାମୀଙ୍କ ରାଜନୈତିକ କ୍ୟାରିୟରରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦୁଇ ପିଲାଙ୍କ ମୃତ୍ୟୁ ପରେ ଶିନ୍ଦେଙ୍କୁ ସେ ହିଁ ସମ୍ଭାଳି ଥିଲେ। ଏକନାଥଙ୍କର ତିନୋଟି ସନ୍ତାନ ଥିଲେ। କିନ୍ତୁ ଜୁନ ୨,୨୦୦୦ରେ ତାଙ୍କ ଜୀବନରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ସେ ନିଜ ପରିବାର ସହିତ ସତରା ଜିଲାର ତାଙ୍କ ଗାଁ ନିକଟରେ ଅବସ୍ଥିତ ଏକ ହ୍ରଦରେ ବୋଟିଂ ବସି ବୁଲିବାକୁ ଯାଇଥିଲେ। ଏହି ସମୟରେ ଡଙ୍ଗା ବୁଡ଼ିଯିବାରୁ ସେଥିରେ ଥିବା ତାଙ୍କ ଦୁଇ ସନ୍ତାନ ବୁଡିଯାଇଥିଲେ। ସେହି ଘଟଣା ପରିବାରକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଥିଲା ଏବଂ ଏକନାଥ ଅବସାଦଗ୍ରସ୍ତ ହୋଇଥିଲେ। ଏପରିକି ସେ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ତାଙ୍କର ରାଜନୈତିକ ପରାମର୍ଶଦାତା ଆନନ୍ଦ ଦିଘେ ଏବଂ ଲତା ତାଙ୍କୁ ସକ୍ରିୟ ରାଜନୀତିର ଏକ ଅଂଶ ରହିବାକୁ ପ୍ରବର୍ତ୍ତାଇଥିଲେ।
ଏକନାଥ ଶିନ୍ଦେ ସୋମବାର ବିଧାନସଭାରେ ତାଙ୍କ ସରକାରର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥିଲେ।

Share