ଭୁବନେଶ୍ୱର,୧୯ା୪(ବନ୍ଦନା ସେଠୀ) – ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୟୁନାଇଟେଡ କିଙ୍ଗ୍ଡମ୍ର ସମ୍ମାନଜନକ ‘ସ୍ୟାଣ୍ଡ୍ ମାଷ୍ଟର ଆଓ୍ବାର୍ଡ’ରେ ସମ୍ମାନିତ ହୋଇଛନ୍ତି। ଶନିବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଦର୍ଶନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ସୁଦର୍ଶନଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଓଡ଼ିଶାର ଆସେଟ୍ ବୋଲି କହିଥିଲେ। ଆଗାମୀ ଦିନରେ ଓଡ଼ିଶା ଓ ଦେଶ ପାଇଁ ଆହୁରି ଗୌରବ ଆଣିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ସଫଳତା ପାଇଁ ପୂର୍ବରୁ ତାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସଂଯୁକ୍ତ ରାଷ୍ଟ୍ରର ଡୋରସେଟ ଅଞ୍ଚଳର ୱେମାଉଥ୍ଠାରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବରେ ସୁଦର୍ଶନ ପ୍ରଥମ ଭାରତୀୟ ଭାବେ ଏହି ସମ୍ମାନ ପାଇଛନ୍ତି।


