Categories: ଜାତୀୟ

ଏବିଭିପି ନେତାରୁ ମୁଖ୍ୟମନ୍ତ୍ରୀ

ଡେରାଡୁନ,୩।୭: ଭାଜପା ବିଧାୟକ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଧାମି ଉଧାମସିଂନଗର ଜିଲାର ଖାତିମା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ଭାଜପା ରାଜ୍ୟ ଉପାଧ୍ୟକ୍ଷ ଅଛନ୍ତି। ୪୫ ବର୍ଷୀୟ ଏହି ନେତା ପୂର୍ବରୁ କେବେ ମନ୍ତ୍ରୀ ହୋଇ ନ ଥିବାବେଳେ ଏକାଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

୧୯୭୫ରେ ପିଥାରାଗଡ଼ ଜିଲାରେ ଜନ୍ମଗ୍ରହଣ କରିଥିବା ଧାମି ଜଣେ ଆଇନ ସ୍ନାତକ। ଦୀର୍ଘ ୩୩ ବର୍ଷ ଧରି ଆର୍‌ଏସ୍‌ଏସ୍‌ ଏବଂ ଏହାର ସ୍ବୀକୃତିପ୍ରାପ୍ତ ସଂଗଠନଗୁଡ଼ିକରେ କାର୍ଯ୍ୟ କରିଛନ୍ତି। ସେ ୧୦ ବର୍ଷ ଏବିଭିପି ସଦସ୍ୟ ରହିଥିଲା ବେଳେ ଉତ୍ତରପ୍ରଦେଶର ଅଓ୍ବଧ ପ୍ରାନ୍ତ ପାଇଁ କାର୍ଯ୍ୟ କରିଥିଲେ। ୨୦୦୨ରୁ ୨୦୦୮ ସେ ଉତ୍ତରାଖଣ୍ଡ ଭାଜପା ଯୁବମୋର୍ଚ୍ଚା ସଭାପତି ଥିଲେ। ୨୦୦୧ରୁ ୨୦୦୨ ସେ ତତ୍କାଳୀନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭଗତ ସିଂ କୋଶିୟାରୀଙ୍କ ଓଏସ୍‌ଡି ନିଯୁକ୍ତ ହୋଇଥିଲେ। ଏଥିସହିତ ସେ ରାଜ୍ୟର ଅର୍ବାନ ମନିଟରିଂ କମିଟି ଉପାଧ୍ୟକ୍ଷ ରହିଥିଲେ।

ଧାମି ଠାକୁର ସମ୍ପ୍ରଦାୟର ହୋଇଥିବାରୁ ଭାଜପା ତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରି ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଜାତି ଓ ଆଞ୍ଚଳିକ ସମୀକରଣରେ ସନ୍ତୁଳନ ଆଣିବାକୁ ଉଦ୍ୟମ କରିଥିବା କୁହାଯାଉଛି। ଉତ୍ତରାଖଣ୍ଡ ଭୋଟ ୩ଟି ଫ୍ୟାକ୍ଟରକୁ ନେଇ ବିଭାଜିତ ହୋଇଥାଏ। ତାହା ହେଲା କୁମାଓନ୍‌ ବନାମ ଗଡ଼ଓ୍ବାଲ ଅଞ୍ଚଳ, ଠାକୁର ବନାମ ବ୍ରାହ୍ମଣ ଏବଂ ପାର୍ବତ୍ୟାଞ୍ଚଳ ଓ ସମତଳ। ଭାଜପା ରାଜ୍ୟ ସଭାପତି ମଦନ କୌଶିକ ହରିଦ୍ୱାରର ବ୍ରାହ୍ମଣ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଠାକୁର ସମ୍ପ୍ରଦାୟର ଏବଂ ଗଡ଼ଓ୍ବାଲ ଅଞ୍ଚଳର ଥିଲେ।

Share