Categories: ଖେଳ

ପ୍ରଣତିଙ୍କୁ ୨୩ ଲକ୍ଷ ଟଙ୍କା ଦେଇ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦।୧୦(ତପନ ସ୍ବାଇଁ): ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ାରେ ୪ ସ୍ବର୍ଣ୍ଣ ସହ ମୋଟ ୫ ପଦକ ଜିତିଥିବା ଓଡ଼ିଶାର ପ୍ରତିଭାସମ୍ପନ୍ନ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେ ପ୍ରଣତିଙ୍କୁ ୨୩ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ମୁଖ୍ୟ କୋଚ୍‌ ଅଶୋକ ମିଶ୍ରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ଉଦୀୟମାନ ଜିମ୍ନାଷ୍ଟ ପ୍ରଣତି ଜାତୀୟ କ୍ରୀଡ଼ାରେ ୪ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତିଥିଲେ। ଜାତୀୟ ସ୍ତରରେ ମହିଳା ଜିମ୍ନାଷ୍ଟିକ୍ସରେ ଚମକ ସୃଷ୍ଟି କରିଥିବା ପ୍ରଣତି ଅଲ୍‌ ରାଉଣ୍ଡ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ। ଏହାପରେ ଭଲ୍ଟ, ବିମ୍ସ ଓ ଅନ୍‌ଇଭେନ୍‌ ବାର୍‌ରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ପାଇଥିଲେ।

ଫ୍ଲୋର ଏକ୍ସରସାଇଜ୍‌ରେ ସେ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚତ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ”ଜାତୀୟ କ୍ରୀଡ଼ାରେ ଅତି ଉତ୍କୃଷ୍ଟ ପ୍ରଦର୍ଶନ କରି ପ୍ରଣତି ଓଡ଼ିଶାକୁ ଗର୍ବିତ କରିଛନ୍ତି। ତାଙ୍କ ସଫଳତା ରାଜ୍ୟରେ ପ୍ରତିଭାର ବିକାଶ ହେଉଥିତ୍ବା ପ୍ରମାଣିତ ହୋଇଛି“ ବୋଲି ମଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଓଡ଼ିଶା ଜିମ୍ନାଷ୍ଟିକ୍ସ ଦଳର ଉନ୍ନତ ପ୍ରଦର୍ଶନରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା କୋଚ୍‌ ଅଶୋକ ମିଶ୍ରଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଆଗାମୀ ପ୍ରତିଯୋଗିତାଗୁଡ଼ିକ ପାଇଁ ପ୍ରସ୍ତୁତ ହେବାକୁ ପ୍ରଣତିଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଉପସ୍ଥିତ ଥିବା ୫-ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ମଧ୍ୟ ଜିମ୍ନାଷ୍ଟିକ୍ସ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

କଳିଙ୍ଗ ଷ୍ଟାଡିୟମସ୍ଥିତ ଓଡ଼ିଶା ଏଏମ୍‌ଏନ୍‌ଏସ୍‌/ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ-ପରଫର୍ମାନ୍ସ ସେଣ୍ଟରର ଅନ୍ତେବାସୀ ପ୍ରଣତି ମୁଖ୍ୟ କୋଚ୍‌ ଅଶୋକ ମିଶ୍ରଙ୍କଠାରୁ ପ୍ରଶିକ୍ଷଣ ନେଇ କ୍ରମେ ଉନ୍ନତି ପ୍ରଦର୍ଶନ ଦେବାରେ ଲାଗିଛନ୍ତି। ତୃଣମୂଳ ସ୍ତରରୁ ଏଲିଟ ପର୍ଯ୍ୟନ୍ତ ଜିମ୍ନାଷ୍ଟିକ୍ସର ବିକାଶ ପାଇଁ ସମର୍ଥନ ଯୋଗାଇ ଦେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଭୟ ପ୍ରଣତି ଓ ଅଶୋକ ମିଶ୍ର କୃତଜ୍ଞତା ଜ୍ଞାପନ କରିଛନ୍ତି।

Share