Categories: ଜାତୀୟ

ସିସୋଦିଆଙ୍କ ବିରୋଧରେ ୧୦୦ କୋଟିର ମାନହାନୀ ମକଦ୍ଦମା କଲେ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ସ୍ତ୍ରୀ…

ନୂଆଦିଲ୍ଲୀ, ୨୨।୬ : ଦିଲ୍ଲୀର ଏଏପି ସରକାରଙ୍କ ଅସୁବିଧା ଶେଷ ହେବାର ନା ନେଉନାହିଁ। ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଛି। ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ସରମାଙ୍କ ସ୍ତ୍ରୀ ରିଙ୍କି ଭୁୟାଁ ସରମା ମଙ୍ଗଳବାର ମନୀଷ ସିସୋଡିଆଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସିଭିଲ ଜଜ ଗୁଆହାଟିଙ୍କ କୋର୍ଟରେ ରିଙ୍କି ଭୁୟାଁ ମାନହାନି ମକଦ୍ଦମା ଦାୟର କରିଛନ୍ତି ଏବଂ କ୍ଷତିପୂରଣ ବାବଦରେ ୧୦୦ କୋଟି ଟଙ୍କା ମଧ୍ୟ ଦାବି କରିଛନ୍ତି।

ରିଙ୍କି ପିପିଏ କିଟ ପ୍ରସଙ୍ଗରେ ଦିଲ୍ଲୀର ଡେପୁଟି ସିଏମ ଏବଂ ଏଏପି ନେତା ମନୀଷ ସିସୋଦିିଆଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି। ରିଙ୍କି ଭୁୟାଁଙ୍କ ଆଇନଜୀବୀ ପି ନାୟକ କହିଛନ୍ତି ଯେ ଏଫଆଇଆର ଦାଖଲ କରାଯାଇଛି। ନିକଟରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିିଆ ପିପିଏ କିଟ ଚୁକ୍ତି ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣଥିଲେ।

ସିସୋଡିଆ ଏକ ଗଣମାଧ୍ୟମ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ ହିମନ୍ତ ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କର ବ୍ୟବସାୟିକ ଭାଗିଦାରୀ ସଂସ୍ଥାକୁ ୨୦୨୦ରେ ବଜାର ଦରଠାରୁ ଅଧିକ ମୂଲ୍ୟରେ ପିପିଇ କିଟ ଯୋଗାଣ ପାଇଁ ସରକାରୀ ଚୁକ୍ତିନାମା ଦେଇଛନ୍ତି।

ସିସୋଦିଆଙ୍କ ଏହି ବିବୃତ୍ତି ନେଇ ହିମନ୍ତ କହିଥିଲେ ଯେ ତାଙ୍କ ସ୍ତ୍ରୀ ଗୋଟିଏ ପଇସା ନ ନେଇ ସରକାରଙ୍କୁ ୧୫୦୦ ପିପିଇ କିଟ ଦାନ କରିଥିଲେ। ଏଭଳି ଅଭିଯୋଗ ନେଇ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ।

Share