ଭୁବନେଶ୍ୱର,୨୪ା୩ (ସ୍ପୋଟର୍ସ ବ୍ୟୁରୋ):ଓଡ଼ିଶାର ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ ବାପି ହାଁସଦାଙ୍କୁ ଗୁରୁବାର ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୮ ତମ ନ୍ୟାସନାଲ ୟୁଥ୍ ଆଥଲେଟିକ୍ସରେ ଜାତୀୟ ରେକର୍ଡ ନିଜ ନାମରେ କରିଥିବା ବାପିଙ୍କୁ ସମ୍ମାନିତ କରିବା ସହିତ ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ୪୦୦ ମିଟର ବାଧାଦୌଡରେ ବାପି ୫୧.୯୦ ସେକେଣ୍ଡର ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ଟାଇମିଂ ସହିତ ୧୮ ବର୍ଷରୁ କମ୍ ବୟସ ବର୍ଗରେ ବାପି ବିଶ୍ୱର ଦ୍ରୁତତମ ବାଧାଦୌଡ ଧାବକ ରହିଛନ୍ତି। ଏହା ସହିତ ବାପି ଏସିଆନ୍ ୟୁଥ୍ ଆଥଲେଟିକ୍ସ ଚାମ୍ପିୟନଶିପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ବାପିଙ୍କୁ ଜଣେ ପରିଶ୍ରମୀ ଆଥଲେଟ ବୋଲି କହିବା ସହିତ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ସହଯୋଗ ପାଇଁ ବାପି ଧନ୍ୟବାଦ ଜ୍ଞାପନ କରିଛନ୍ତି। ବାଲେଶ୍ୱରର ବାପିଙ୍କ ଦକ୍ଷତା ଏଚ୍ପିସିର କୋଚ୍ ମାନଙ୍କ ନଜରରେ ଆସିବା ପରେ ସେ ୨୦୧୯ରୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି।