Categories: ଜାତୀୟ

ଆତ୍ମସମର୍ପଣ କରିଥିବା ଉଗ୍ରବାଦୀଙ୍କୁ କୁଣ୍ଢାଇ ଧରିଲେ ମୁଖ୍ୟମନ୍ତ୍ରୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ଗୁଆହାଟୀ,୨୮।୧୦ : ଦକ୍ଷିଣ ଆସାମର ଦିମା ହାସାଓ ଜିଲାରେ ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଆଗରେ ଦିମାସା ନ୍ୟାସନାଲ ଲିବରେଶନ ଆର୍ମି (ଡିଏନଏଲଏ) ର ୧୮୧ ଉଗ୍ରବାଦୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ବାଗତ କରିବା ସହ ଏହାକୁ ଏକ ଐତିହାସିକ ଦିନ ବୋଲି କହିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ଆତ୍ମସମର୍ପଣ କରିଥିବା ଉଗ୍ରବାଦୀଙ୍କୁ କୁଣ୍ଢାଇ ଧରିଥିଲେ। ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ସେ କହିଛନ୍ତି ଯେଉଁମାନେ ହିଂସା ପଥ ଛାଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବିକଶିତ ଭାରତ ଗଠନରେ ଯୋଗ ଦେଇଛନ୍ତି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସ୍ବାଗତ କରାଯାଇଛି। ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାରେ ଏହା ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ। ଏହି ଅବସରରେ ଡିଏନଏଲଏ ଉଗ୍ରବାଦୀମାନେ ଏକେ- ସିରିଜ ରାଇଫଲ, ଏମ-୧୬ ରାଇଫଲ ଏବଂ ଗ୍ରେନେଡ ସମେତ ବହୁ ପରିମାଣର ଅତ୍ୟାଧୁନିକ ଅସ୍ତ୍ର ଜମା କରିଥିଲେ ।

ଏଥିପାଇଁ ଡିମା ହାସାଓ ଜିଲାର ମୁଖ୍ୟାଳୟ ହାଫଲଙ୍ଗର ଜିଲା କ୍ରୀଡ଼ା ସଂଘ ଗ୍ରାଉଣ୍ଡରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ଶର୍ମା, ଦିମା ହାସାଓ ସ୍ବୟଂଶାସିତ ପରିଷଦ ମୁଖ୍ୟ ଦେବଲାଲ ଗାର୍ଲୋସା, ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଜିପି ସିଂ ଏବଂ ବହୁ ମନ୍ତ୍ରୀ, ବରିଷ୍ଠ ପୋଲିସ ଏବଂ ନାଗରିକ ପ୍ରଶାସକ ଉପସ୍ଥିତ ଥିଲେ।

 

Share