ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ, ଆଜି ନିବେଶକ ସମ୍ମିଳନୀ

ଭୁବନେଶ୍ବର,୧୭ା୧୦(ବ୍ୟୁରୋ): ଓଡ଼ିଶା ନିବେଶକ ସମ୍ମିଳନୀ ସୋମବାର ହାଇଦ୍ରାବାଦରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ ପୁଞ୍ଜିପତିଙ୍କ ସହ ସିଧାସଳଖ ଆଲୋଚନା କରିବେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆମନ୍ତ୍ରଣ କରିବେ। ରବିବାର ନବୀନଙ୍କ ଜନ୍ମଦିନ ହୋଇଥିବା ସତ୍ତ୍ବେ ଏହି କାର୍ଯ୍ୟକ୍ରମ ପାଇଁ ସେ ହାଇଦ୍ରାବାଦ ଗସ୍ତ କରିଛନ୍ତି। ସୂଚନା ଅନୁସାରେ, ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ଭୁବନେଶ୍ବରରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ୩ୟ ସଂସ୍କରଣ ଆୟୋଜିତ ହେବ। ଏହାକୁ ସଫଳ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ନିବେଶକ ସମ୍ମିଳନୀ ଜରିଆରେ ପୁଞ୍ଜିପତିଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରି ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ଆକୃଷ୍ଟ କରୁଛନ୍ତି। ଏହିକ୍ରମରେ ହାଇଦ୍ରାବାଦ ତାଜକ୍ରିଷ୍ଣା ହୋଟେଲରେ ସୋମବାର ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରାୟ ୩୫ ବ୍ୟବସାୟିକ ସଂସ୍ଥାର ମାଲିକଙ୍କୁ ନବୀନ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ଅଧିକ ପ୍ରୋତ୍ସାହନ ଦେବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଉଛନ୍ତି। ହାଇଦ୍ରାବାଦରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୧୩ଟି ଶିଳ୍ପସଂସ୍ଥାର ମୁଖ୍ୟଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ହାଇଦ୍ରାବାଦ ସମ୍ମିଳନୀରେ ମୁଖ୍ୟତଃ ଆଇଟି/ଆଇଟିଇଏସ, ସ୍ବାସ୍ଥ୍ୟସେବା, ପେଟ୍ରୋକେମିକାଲ୍ସ, ଇଏସଡିଏମ୍‌ ଏବଂ ଡାଟା ସେଣ୍ଟର, ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ, ବୟନ ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ଅକ୍ଷୟ ଶକ୍ତି ଆଦି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି।

Share