କେନ୍ଦୁଝରରେ ମେଡିକାଲ କଲେଜ, ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାରଠାରୁ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କେନ୍ଦୁଝରରେ ୫୦୦ ଶଯ୍ୟା ବିଶିଷ୍ଟ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି। ପୂର୍ବରୁ ୧୦୦ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜର ଉଦ୍‌ଘାଟନ କରାଯାଇଥିଲା। ବିଭିନ୍ନ କାରଣରୁ ରୋଗୀ ଚିକିତ୍ସା ପାଇଁ ମେଡିକାଲ ଖୋଲାଯାଇ ପାରି ନ ଥିଲା। ଏଠାରେ ନିଯୁକ୍ତି ପାଇଥିବା ପ୍ରଫେସର/ଆସିଷ୍ଟାଣ୍ଟ ପ୍ରଫେସରମାନେ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ସେଠାରେ ରୋଗୀ ସେବା କରିଆସୁଥିଲେ। ଫଳରେ ଉଭୟ ଡାକ୍ତର ରୋଗୀ ସେବାରେ ନାନା ସମସ୍ୟା ଦେଖାଦେଉଥିଲା। ଏନେଇ ତୁରନ୍ତ ମେଡିକାଲ କଲେଜ ପରିସରରେ ମେଡିକାଲ ଚାଲୁ କରିବାକୁ ଦାବି ହୋଇ ଆସୁଥିଲା। ତେବେ ଆଜି ହସ୍ପିଟାଲକୁ ଉଦ୍‌ଘାଟନ କରିବା ପରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଏବେ କେବଳ ୪ଟି ବିଭାଗର ଓପିଡି ସେବାର ଶୁଭାରମ୍ଭ ହୋଇଛି। ପ୍ରାରମ୍ଭରେ ମେଡିସିନ, ଚର୍ମ, ମାନସିକ ରୋଗ, ଦନ୍ତ ଚିକିତ୍ସା ଓପିଡି ସେବା ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ ଅନ୍ୟ ବିଭାଗର ଓପିଡି ଖୋଲିବ ଏବଂ ଇନଡୋର ସେବା ଆରମ୍ଭ ହେବ ବୋଲି ଡିନ୍‌ ଚିନ୍ନୟୀ ମହାପାତ୍ର ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ଉପସ୍ଥିତିରେ ଏହାର ଉଦ୍‌ଘାଟନ କରିଥିଲେ।

Share