Categories: ମେଟ୍ରୋ

୧୩ ଶିକ୍ଷା ସୌଧ, ୨୮ ଛାତ୍ରାବାସ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୬(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଲୋକସେବା ଭବନ କନ୍‌ଭେନଶନ ସେଣ୍ଟରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୩ ଶିକ୍ଷା ସୌଧ ଓ ୨୮ ଛାତ୍ରାବାସ ଉଦ୍‌ଘାଟନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ୨୭୬ ଛାତ୍ରାବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମସ୍ତ ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଚମତ୍କାର ଭିତ୍ତିଭୂମି ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପାଇଁ ବାଟ ଖୋଲିଦେବ। ଗ୍ରାମାଞ୍ଚଳ ପିଲାଙ୍କୁ ଇଂଲିଶ ମାଧ୍ୟମରେ ଉତ୍ତମ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଛି। ଏହି ଶିକ୍ଷାନୁଷ୍ଠାନ ୩୧୪ ବ୍ଲକରେ ସ୍ଥାପନ କରାଯାଇଛି। ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବାକୁ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଛି। ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ଉପରେ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ପ୍ରତ୍ୟେକ ଆଦର୍ଶ ବିଦ୍ୟାଳୟ ୫-ଟି ଅଧୀନରେ ରୂପାନ୍ତର କରାଯାଇଛି। ଆଦର୍ଶ ବିଦ୍ୟାଳୟଗୁଡିକ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ଅନେକ ସଂସ୍କାର ଆଣିଛନ୍ତି। ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇଥିବା ନୂତନ ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ଏଥିସହିତ ଏନ୍‌ଇଇଟି ଏବଂ ଜେଇଇ ଆଡ୍‌ଭାନ୍ସଡ ଏବଂ ଅନ୍ୟାନ୍ୟ ଜାତୀୟସ୍ତର ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସିବିଏସ୍‌ଇ ନବମ ଓ ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିଭାବକ, ଶିକ୍ଷକ, ସ୍କୁଲ ପରିଚାଳନା କମିଟି ଓ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆସନ୍ତା ଦିନରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ସଚିବ ଅଶ୍ୱସ୍ତି ଏସ୍‌. ସ୍ବାଗତ ଭାଷଣ ଦେଇଥିଲେ।

Share