ରାୟଗଡ଼ାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୮୨ ପଞ୍ଚାୟତକୁ ଯୋଡ଼ିବ ୫୨ ବସ୍‌

ଭୁବନେଶ୍ୱର,୨୫ା୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାୟଗଡ଼ା ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଜିଲାରେ ୧୮୨ଟି ପଞ୍ଚାୟତକୁ ୫୨ଟି ବସ୍‌ ଚାଲିବ। ଏଥିପାଇଁ ୩୦୦ଟି ବସ୍‌ ଷ୍ଟପେଜ ମଧ୍ୟ କରାଯାଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି , ଲକ୍ଷ୍ମୀ ଘରେ ଘରେ ଖୁସି ଓ ଆନନ୍ଦ ଆଣିବ। ଏହା ଗ୍ରାମାଞ୍ଚଳର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ। ମୋ’ ପାଇଁ ଲୋକଙ୍କ ମତାମତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ବସ୍‌ ସେବା ଗାଁକୁ ଗାଁ ସହିତ ଯୋଡ଼ିବ। ସାମାଜିକ ସମ୍ପର୍କ ସୁଦୃଢ଼ କରିବା ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଧ୍ୟ ମଜଭୁତ କରିବ। ଲକ୍ଷ୍ମୀ ବସ୍‌ ପିଲାମାନଙ୍କୁ ସ୍କୁଲ ଓ କଲେଜ ସହିତ, ଚାଷୀଙ୍କୁ ମାର୍କେଟ ସହ ଯୋଡ଼ିବା ସହିତ ରୋଗୀକୁ ହସ୍ପିଟାଲ ମଧ୍ୟ ନେବ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲାରେ ୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୨୬୦୦ରୁ ଅଧିକ ପ୍ରକଳ୍ପ କରାଯାଉଛି। ପଞ୍ଚାୟତଗୁଡ଼ିକ ହେଉଛି ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍‌ । ସବୁ ପଞ୍ଚାୟତରେ ରୂପାନ୍ତର ଆଣି ସାରା ଓଡ଼ିଶାର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share