Categories: ମେଟ୍ରୋ

୧୮୧ ପ୍ରାଣୀ ଚିକିତ୍ସା ଭ୍ରାମ୍ୟମାଣ ଯାନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୯(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ୧୮୧ ପ୍ରାଣୀ ଚିକିତ୍ସା ଭ୍ରାମ୍ୟମାଣ ଯାନକୁ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଅଧୀନରେ ଏହି ଯାନଗୁଡ଼ିକ ଗୃହପାଳିତ ପ୍ରାଣୀମାନଙ୍କର ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯିବ। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାଣୀ ଚିକିତ୍ସା କେନ୍ଦ୍ରଠାରୁ ଦୂରରେ ରହୁଥିବା ଗ୍ରାମାଞ୍ଚଳ ଚାଷୀମାନଙ୍କର ଗୃହପାଳିତ ପ୍ରାଣୀମାନଙ୍କୁ ଦୁଆର ମୁହଁରେ ଚିକିତ୍ସା ସେବା ଯୋଗାଇ ଦେବାରେ ଏହି ଭ୍ରାମ୍ୟମାଣ ଯାନଗୁଡ଼ିକୁ ସହାୟତା କରିବ। ରାଜ୍ୟ ସରକାର ଚାଷୀମାନଙ୍କର ଆୟକୁ ବହୁଗୁଣିତ କରିବାକୁ ସର୍ବଦା ଉଦ୍ୟମ କରି ଆସିଛନ୍ତି। ପୂର୍ବରୁ ପ୍ରାଣୀ ଚିକିତ୍ସା ପାଇଁ ଭ୍ରାମ୍ୟମାଣ ଯାନଗୁଡ଼ିକ ଭଡ଼ାରେ ଅଣାଯାଉଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୧୮୧ଟି ଯାନ କିଣିବାକୁ ୩୦ କୋଟି ଟଙ୍କା ବ୍ୟୟ କରିଛନ୍ତି। ଏହି ଯାନ ଚାଷୀମାନଙ୍କୁ ପ୍ରାଣୀମାନଙ୍କର ସ୍ବାସ୍ଥ୍ୟ ରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବ। ପ୍ରାଣୀମାନଙ୍କର କଲ୍ୟାଣ ପାଇଁ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଯାନଗୁଡ଼ିକୁ ଠାବ କରିବା ପାଇଁ ଜିପିଏସ୍‌ ଲଗାଯିବ। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ପ୍ରାଣୀ ସମ୍ପଦର ବିକାଶ ପାଇଁ ଉକ୍ତ ଭ୍ରାମ୍ୟମାଣ ଯାନ ସହାୟତା କରିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି)ଉପସ୍ଥିତ ଥିଲେ।

Share