କାର୍ତ୍ତିକ ବ୍ରତ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୩ ହଜାରରୁ ଊର୍ଦ୍ଧ୍ୱ ହବିଷିଆଳିଙ୍କ ପାଇଁ ହୋଇଛି ରହିବା ବ୍ୟବସ୍ଥା

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): କାର୍ତ୍ତିକ ମାସ ରବିବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ପୁରୀରେ ହବିଷିଆଳିମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟରୁ କାର୍ତ୍ତିକ ବ୍ରତ କରିବା ପାଇଁ ହବିଷିଆଳି ମାନେ ଏକତ୍ରିତ ହୋଇଛନ୍ତି। ବ୍ରତ ପାଇଁ ହବିଷିଆଳିମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଭଲରେ ଏବଂ ଶାନ୍ତିରେ ବ୍ରତ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ। ଆପଣମାନେ ଆଶୀର୍ବାଦ ପାଇଲେ ସାରା ଓଡ଼ିଶାକୁ ଆଶୀର୍ବାଦ ମିଳିବ। କାର୍ତ୍ତିକ ମାସ ଧର୍ମ ମାସ, ବହୁତ ପବିତ୍ର ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ମାସରେ ମା’ମାନେ ଆନନ୍ଦରେ ବ୍ରତ ପାଳନ କରିବେ ବୋଲି ତାଙ୍କର ପୂରା ବିଶ୍ୱାସ। ମା’ମାନଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ୩୦୦୦ରୁ ଅଧିକ ମା’ଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ରହିବାଠାରୁ ଆରମ୍ଭକରି ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ସବୁ ବ୍ୟବସ୍ଥା ହୋଇଛି। ଆପଣମାନଙ୍କ ସେବା ପାଇଁ ଜିଲା ପ୍ରଶାସନ ପୂରା ପ୍ରସ୍ତୁତ ବୋଲି ସେ କହିଛନ୍ତି।

Share