ବିଧାନସଭାରେ ୨୪ବର୍ଷର ରେକର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୩୧।୮: ମୁଖ୍ୟମନ୍ତ୍ରୀ ମୋହନ ମାଝି ୨୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ବିଧାନସଭାରେ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ୧ ଘଣ୍ଟା ୪୦ ମିନିଟ ଧରି ବିବୃତି ରଖି ମୁଖ୍ୟମନ୍ତ୍ରୀ ରେକର୍ଡ ସୃଷ୍ଟି କରିଛନ୍ତି।

ସାଧାରଣ ଅଭିଯୋଗ ଶୁଣାଣିର ବିକୃତ ବ୍ୟବସ୍ଥା ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ପାଖକୁ ନଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ଦୁର୍ଭାଗ୍ୟଜନକ । ପୂର୍ବ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅଭିଯୋଗ ଶୁଣାଣି ପାଇଁ ପଠାଇବା ଏକ ବିକୃତ ବ୍ୟବସ୍ଥା ଥିଲା। ନିଜର ଜଣେ ଅଫିସରଙ୍କୁ ପଠେଇ ଅଭିଯୋଗ ଶୁଣାଣି କରୁଥିଲେ । ନିଜେ କେବେ ଲୋକଙ୍କ ଗୁହାରି ଶୁଣୁନଥିଲେ । ଏଭଳି ଏକ ବିକୃତ ବ୍ୟବସ୍ଥା ପୂର୍ବ ସରକାରରେ ଚାଲିଥିଲା ।

ଆମ ସରକାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପୁଣିଥରେ ଚଳଚଞ୍ଚଳ କରିଛନ୍ତି । ସବୁଦିନେ ପ୍ରାୟ ରାତି ସାଢେ ୧୨ଟାରେ ମୁଁ ଲୋକସେବା ଭବନରୁ ଘରକୁ ଯାଉଛି । ରାତି ୩ଟାରେ ଶୋଇ ସକାଳୁ ଉଠିବାରେ ସମସ୍ୟା ହେଉଛି । ମାତ୍ର ଲୋକଙ୍କ ଦୁଃଖ ଶୁଣିବା ପାଇଁ ସମୟ ବାହାର କରିପାରୁଥିବାରୁ ନିଜକୁ ଖୁସି ଲାଗୁଛି । ଏବେସୁଦ୍ଧା ୫୬୦୦ ଅଭିଯୋଗ ଶୁଣାଣି କରିଛି । ଏଥିରୁ ୨୩ପ୍ରତିଶତ ସମାଧାନ ହୋଇଛି ଓ ଏହି ହାରକୁ ୫୦ ପ୍ରତିଶତ କରିବା ପାଇଁ ପ୍ରୟାସ ଚାଲିଛି । ପ୍ରଥମଦିନ ଅଭିଯୋଗ ଶୁଣାଣିବେଳେ ଆମେ ସମସ୍ତେ ମଧ୍ୟାହ୍ନଭୋଜନ ସଂଧ୍ୟା ୫ଟାରେ କରିଥିଲୁ ।

ଯେଉଁ ସରକାରୀ ପଦବି ଖାଲି ପଡ଼ିଛି ତାକୁ ପୂରଣ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ। ୧ ଲକ୍ଷ ୩୨ ହଜାର ୩୬୫ ସରକାରୀ ପଦବି ଆଗାମୀ ଦିନରେ ପୂରଣ କରିବେ ଆମ ସରକାର। ବିଧାୟକ କଲୋନିରେ ବିଧାୟକଙ୍କ କ୍ୱାଟରର ଉନ୍ନତୀକରଣ ପାଇଁ ଲକ୍ଷେ ଟଙ୍କା ବଦଳରେ ୧୦ ଲକ୍ଷ ଦେବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି।

ଆମ ସରକାର ସମୟରେ ୪୯ କୋଟିରୁ ଉଦ୍ଧର୍‌ବ ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠାବ କରିଛି ଭିଜିଲାନ୍ସ ବିଭାଗ। ପୂର୍ବ ସରକାର ସମୟରେ ଭିଜିଲାନ୍ସ ବିଭାଗ କେରାଣ୍ଡି ଧରୁଥିଲେ ଆମ ସରକାର ସମୟରେ ବାଳିଆ, ରୋହି ଓ ଭାକୁର ଧରୁଛନ୍ତି। ବିରୋଧୀ ଦଳ ନେତା ମଦ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୁଁ କହିବି ତାଙ୍କ ସରକାର ମଦକୁ ପ୍ରୋତ୍ସାହନ ଓ ପ୍ରଶୟ ଦେଇଥିଲେ। ବାଲେଶର ହିଂସାକୁ ଆମେ ସମ୍ପୂର୍ଣ୍ଣ ସଫଳତାର ସହ ସମାଧାନ କରିଛୁ। ଖୋର୍ଦ୍ଧା ଘଟଣାକୁ କହିବା ବଡ଼ ନିନ୍ଦନୀୟ କଥା। ଦୁଇ ପରିବାର କଳି କେବେ ହିଂସା ନୁହେଁ।

Share