ନବୀନଙ୍କ ଚିଠିକୁ ନେଇ ଏଭଳି ଉତ୍ତର ରଖିଲେ ମୋହନ, ଟୁଇଟ୍‌ କରି କହିଲେ…

ଭୁବନେଶ୍ୱର,୧୧।୭: ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଅଘଟଣରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ ଏକ ଚିଠି ଲେଖିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଚିଠିର ଉତ୍ତର ରଖିଛନ୍ତି। ଆଉ କହିଛନ୍ତି, ଜଗତର ନାଥ ଜଗନ୍ନାଥ କେବଳ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ନୁହଁନ୍ତି, ସେ ସାରା ଜଗତ ଅର୍ଥାତ୍‌ ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳର ନାଥ ଅଟନ୍ତି। ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମିଳିତ ସମାହାର ଏବଂ ତାଙ୍କର ପୂଜନ ବିଧି ବ୍ୟବସ୍ଥା ସାରା ଜଗତରେ ବିରଳ।

ଚଳିତ ବର୍ଷ ଆଡପ ମଣ୍ଡପକୁ ବଡ଼ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିରେ ସାରା ଜଗତ ଦୁଃଖିତ। ତେଣୁ ଆପଣ ଏ ଘଟଣାରେ ମର୍ମାହତ ହେବା ସ୍ବାଭାବିକ। ମୁଁ ମଧ୍ୟ ଗଭୀର ଭାବେ ମର୍ମାହତ।

ଆଡପ ମଣ୍ଡପ ପହଣ୍ଡି ବିଜେ ସମୟରେ ହୋଇଥିବା ଅଘଟଣ ବିଷୟରେ ଜାଣିବା ପରେ ମୁଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଓ ମାନ୍ୟବର ଆଇନମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯିବାକୁ ନିର୍ଦ୍ଦେଶ ଦେବା ସହିତ ଭବିଷ୍ୟତରେ ଏହାର ଯେପରି ପୁନରାବୃତ୍ତି ନ ଘଟିବ ସେଥିପାଇଁ ଯତ୍ନବାନ ହେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛି।

ଏ ସମ୍ବନ୍ଧରେ ଆପଣ ମୋତେ ଲେଖିଥିବା ପତ୍ରକୁ ମୁଁ ଗୁରୁତ୍ୱର ସହ ପାଠ କରିଛି। ଆମେ ସମସ୍ତେ ମିଶି ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ସେବା ଓ ଶ୍ରୀଗୁଣ୍ଡିଚା ଯାତ୍ରା ସଠିକ ଭାବେ ସମ୍ପର୍ଣ୍ଣ କରିବା ।
ଆପଣଙ୍କ ପରାମର୍ଶ ମୋ ପାଇଁ ସବୁବେଳେ ସମ୍ମାନର ସହିତ ଗ୍ରହଣୀୟ ହେବ।

Share