Advertisement

ନୂଆ ବାସଭବନକୁ ଗଲେ ମୁଖ୍ୟମନ୍ତ୍ରୀ: ପ୍ରଥମେ ଏହି ଘରେ ରହିଥିଲେ ନନ୍ଦିନୀ ଶତପଥୀ

ଭୁବନେଶ୍ୱର, ୭ା୩(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ନୂଆ ସରକାରୀ ବାସଭବନରେ ଗୃହପ୍ରବେଶ କରିଛନ୍ତି। ଭୁବନେଶ୍ୱର ଗଭର୍ନର ହାଉସ୍‌ ଛକରୁ ଏଜି ଛକ ଯିବା ରାସ୍ତାର ବାମପାର୍ଶ୍ୱରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିର୍ମିତ ଏହି ବାସଭବନକୁ ଗତ ୨୫ ବର୍ଷ ହେଲା ବ୍ୟବହାର କରାଯାଉ ନ ଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ନବୀନ ନିବାସରେ ରହି ଆସୁଥିଲେ। ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଭାବେ ବ୍ୟବହାର କରୁଥିଲେ। ରାଜ୍ୟରେ ଭାଜପା ସରକାରକୁ ଆସିବା ପରେ ୮ ମାସ ଧରି ଏହି ବାସଭବନକୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା ଭାବେ ପ୍ରସ୍ତୁତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭାବେ ଏହି କ୍ୱାର୍ଟର୍ସ ୧୯୭୦ ମସିହା ପରେ ନିର୍ମାଣ କରାଯାଇଥିଲା। ପୂର୍ବରୁ ଏହା ଭୁବନେଶ୍ୱର ସର୍କିଟ ହାଉସ୍‌ ଥିଲା। ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହାକୁ ନିର୍ମାଣ କରାଇଥିଲେ। ନନ୍ଦନୀ ଦେବୀ ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ସେଠାରେ ରହୁଥିଲେ। ପରବର୍ତ୍ତୀ ସମୟରେ ସେହି କ୍ୱାର୍ଟର୍ସରେ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ଥିବାବେଳେ କିଛିଦିନ ରହିଥିଲେ। ଏହାପରେ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି କ୍ୱାର୍ଟର୍ସରେ ଅବସ୍ଥାନ କରିଥିଲେ। ଏହା ପରଠାରୁ ଉକ୍ତ କ୍ୱାର୍ଟର୍ସରେ ଅନ୍ୟ କେହି ମୁଖ୍ୟମନ୍ତ୍ରୀ ରହିନାହାନ୍ତି।
ମୁଖ୍ୟମନ୍ତ୍ରୀ ମାଝୀ ଗୁରୁବାର ସକାଳେ ଶୁଭଲଗ୍ନ ୧୦ଟା ୪୭ ମିନିଟ୍‌ରେ ତାଙ୍କ ନୂଆ ବାସଭବନକୁ ପ୍ରବେଶ କରିଛନ୍ତି। ସେ ଗୃହ ପ୍ରବେଶ କରିବା ପୂର୍ବରୁ ୨ ଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସ୍ତ୍ରୀ ଗୃହପ୍ରବେଶ କରିଥିଲେ। ପ୍ରାୟ ୨୬ ବର୍ଷ ହେବ ଏହି ସରକାରୀ ଘର ଖାଲି ପଡ଼ିଥିଲା। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଝୀ ଗାନ୍ଧୀମାର୍ଗରେ ଥିବା କ୍ୱାର୍ଟର୍ସରେ ରହୁଥିଲେ। ସେ ପୂର୍ବରୁ ବିଧାୟକ ଓ ମୁଖ୍ୟ ସଚେତକ ଥିବା ସମୟରେ ଯେଉଁ ସରକାରୀ ଘରେ ରହୁଥିଲେ, ସେଠାରେ ହିଁ ରହିଆସୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: Mohan Majhi