
ଭୁବନେଶ୍ୱର/କେନ୍ଦୁଝର,୩୧।୩: କେନ୍ଦୁଝରର ଶହୀଦ ଯବାନ ରାଜକିଶୋର ମୁଣ୍ତାଙ୍କ ମରଶରୀର ସୋମବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି।
କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ଗ୍ରାମର ଷଷ୍ଠ ବାଟାଲିୟନ, ବିହାର ରେଜିମେଣ୍ଟରେ ହାବିଲଦାର ତଥା ଗାଡ଼ି ଚାଳକ ଭାବେ କାର୍ଯ୍ୟରତ ରାଜ କିଶୋର ମୁଣ୍ତା ଗତ ୨୯ ତାରିଖରେ ଅରୁଣାଚଳପ୍ରଦେଶ ତାୱାଙ୍ଗଠାରେ ଶହୀଦ ହୋଇଥିଲେ। ସେନା କର୍ମଚାରୀଙ୍କୁ ନେଇ ଯାଉଥିବାବେଳେ ଏକ ପଥର ତାଙ୍କ ଗାଡ଼ି ଉପରେ ପଡ଼ିବା ଯୋଗୁ ଭାରସାମ୍ୟ ହରାଇ ଗାଡ଼ି ଓଲଟି ପଡ଼ିଥିଲା। ଏଥିରେ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମରଶରୀରକୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ନିମନ୍ତେ ସୋମବାର ପୈତୃକ ଗ୍ରାମ ନୂଆଗାଁ ଅଭିମୁଖେ ଅଣାଯାଇଛି।