ମୁଖ୍ୟମନ୍ତ୍ରୀ ସଡ଼କ ୨ ବର୍ଷରେ ଦୁଇ ଫାଳ

ଭଦ୍ରକ,୬ା୭ (ସନାତନ ରାଉତ):ଭଦ୍ରକ ବ୍ଲକ୍‌ କଲେଇ ପଞ୍ଚାୟତ ବିଭୁତିପୁର ଗ୍ରାମରେ ନବନିର୍ମିତ ମୁଖ୍ୟମନ୍ତ୍ରୀ ସଡ଼କ ୨ ବର୍ଷରେ ଦୁଇ ଫାଳ ହୋଇଥିବା ଦେଖାଯାଇଛି। ଫଳରେ ଯାତାୟାତରେ ବିପଦ ସୃଷ୍ଟି ହୋଇଛି । ୨୦୨୨ ଡିସେମ୍ବରରେ ସମ୍ପୂର୍ଣ୍ଣ ହୋଇଥିବା ଏହି ସଡ଼କ ୧୬ ନଂ ଜାତୀୟ ରାଜପଥ ନଳାଙ୍ଗଠାରୁ ଆରମ୍ଭ ହୋଇ ବିଭୁତିପୁର ଗ୍ରାମ ଦେଇ ପୁନଶ୍ଚ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଷ୍ଣୁପୁର ପଞ୍ଚାୟତ ଚିଙ୍ଗୁଡ଼ିପୁରକୁ ସଂଯୋଗ କରିଛି। ଏବେ ସେହି ରାସ୍ତା ମଝିରୁ ଦୁଇଫାଳ ହୋଇଯାଇଥିବାରୁ ଦୁର୍ଘଟଣାର ସମ୍ଭାବନା ସହିତ ଯାତାୟାତରେ ବହୁ ଅସୁବିଧା ସୃଷ୍ଟି ହେଉଛି। ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା ସାଙ୍ଗକୁ ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁ ଏପରି ଅବସ୍ଥା ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଭଦ୍ରକର ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ସମୟରେ ଏହି ମୁଖ୍ୟମନ୍ତ୍ରୀ ସଡ଼କ ପାଇଁ ସରକାରୀ ସ୍ବୀକୃତି ମିଳିଥିଲା। ପୂର୍ବତନ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ସମୟରେ ଏହା ସମ୍ପୂର୍ଣ୍ଣ ହୋଇଥିଲା। ରାସ୍ତାର ତୁରନ୍ତ ମରାମତି ପାଇଁ ବିଭୁତିପୁର, ଚିଙ୍ଗୁଡ଼ିପୁର ଉଭୟ ଗ୍ରାମର ଗ୍ରାମବାସୀ ଦାବି କରିଛନ୍ତି।

Share