ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଆଶିର୍ବାଦ ଲୋଡିଛନ୍ତି। ଏହି ଅବସରରେ ତାଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ୍‌ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୧.୧୫ରେ ନରସିଂହପୁର ଅସ୍ଥାୟୀ ହେଲିପେଡରେ ଓହ୍ଲାଇ ଥିଲେ। ପରେ ମା’ ତାରାତାରିଣୀଙ୍କ ପୀଠକୁ ଯାଇଥିଲେ। ମା’ଙ୍କୁ ଦର୍ଶନ କରି ସେ ପୂଜାର୍ଚନା କରିଥିଲେ। ୧୧.୪୦ରେ ପୁଣି ହେଲିକପ୍ଟରରେ ଛତ୍ରପୁର ଯାଇଥିଲେ।

ଏହି ଅବସରରେ ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମେତ ବହୁ ଦଳୀୟନେତା ଓ କର୍ମୀ ଉପସ୍ଥିତ ଥିଲେ। ଏନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ । ୨୦୦୦ରୁ ଲଗାତର ଭାବେ ହିଞ୍ଜିଳି ବିଧାୟକ ଭାବେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ଆସୁଛନ୍ତି। ଚଳିତ ଥର ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସହ କଣ୍ଟାବାଞ୍ଜି ଆସନରୁ ମଧ୍ୟ ଲଢୁଛନ୍ତି।

Share