‘ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଙ୍ଗରେ ୟୁ-ଟର୍ନ ନେଲେ ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର,୧୫।୯(ଅନିଲ ଦାସ): ଓଡ଼ିଶା ରାଜନୈତିକ ଇତିହାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଦଳୀୟ ନେତା ଓ ବିଧାୟକଙ୍କ ଚାପରେ ପଡି କାର୍ଯ୍ୟ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ତଥା ରାଜ୍ୟ ସଭା ଏମ୍‌ପି ସସ୍ମିତ ପାତ୍ର କହିଛନ୍ତି। ଶଙ୍ଖଭବନଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ଘୋଷଣା ପରବର୍ତ୍ତୀ ସମୟରେ ପୁଣି ବଦଳି ଯାଉଛି। କିଛିଦିନ ତଳେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠାର ଯଥାର୍ଥତା ନାହିଁ। ଦଳୀୟ ନେତା ଓ ବିଧାୟକଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇ ତା’ ପରଦିନ ପୁଣି ଏହା ସରକାରଙ୍କ ବିଚାରାଧୀନ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଭଳି ଆଚରଣ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରେ ଶୋଭନୀୟ ନୁହେଁ। ଗତ ଅଗଷ୍ଟ ୮ ତାରିଖରେ ସସ୍ମିତ ରାଜ୍ୟ ସଭାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଙ୍ଗରେ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ ଯେ, ରାଜ୍ୟ ସରକାରଙ୍କ ନିକଟରେ ଏହା ବିଚାରାଧୀନ ଅଛି ଏବଂ ରାଜ୍ୟ ସରକାର ସବିଶେଷ ନିଷ୍ପତ୍ତି ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ। ସରକାରକୁ ଆସିବାର ୩ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତୀୟ କୌଣସି ନିଷ୍ପତ୍ତି କେନ୍ଦ୍ରକୁ ଅବଗତ କରାଇ ନାହାନ୍ତି। ନିଷ୍ପତ୍ତି ନେବା ପରିବର୍ତ୍ତେ ନିଜେ ବିଧାନସଭାରେ କରିଥିବା ଘୋଷଣାକୁ ଦଳୀୟ ନେତୃମଣ୍ଡଳୀ ଓ ବିଧାୟକଙ୍କ ଚାପରେ ୟୁ ଟର୍ନ ନେଇ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱକୁ ଓଡ଼ିଶାବାସୀ ଦେଖିଥିଲେ, କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏଭଳି ଅସହାୟତା ଦେଖି ରାଜ୍ୟବାସୀ ଅତ୍ୟନ୍ତ ଦୁଃଖିତ। ରବିବାର ସୁଦ୍ଧା ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ସମ୍ପର୍କରେ ସବିଶେଷ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେବେ ବୋଲି ଆମେ ଅନୁରୋଧ କରୁଛୁ।
ନଚେତ୍‌ ରାଜ୍ୟବାସୀ ଅନୁଭବ କରିବେ ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ପ୍ରତିଶ୍ରୁତି ଥିଲା। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ମୁଖ୍ୟମନ୍ତ୍ରୀ ଚାହୁଁ ନାହାନ୍ତି। ଏହି ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ୍‌ ମହାନ୍ତି, ପ୍ରିୟବ୍ରତ ମାଝୀ ଏବଂ ତୁମ୍ବନାଥ ପଣ୍ଡା ଉପସ୍ଥିତ ଥିଲେ।

Share