ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଅସମାପିକା ସାହୁ)/ସମ୍ବଲପୁର, (ପ୍ରମୋଦ ବହିଦାର)/ଅନୁଗୋଳ, (ଅମିତ କୁମାର ସାମଲ) / ଢେଙ୍କାନାଳ (ରତନ ନାୟାର)୧୮।୫: ରାଜ୍ୟର ୨ ଲୋକ ସଭା କ୍ଷେତ୍ରର ୪ ନିର୍ବାଚନମଣ୍ଡଳୀରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଶୀର୍ବାଦ ମାଗିଛନ୍ତି। ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ବିଶାଳ ଜନସଭାକୁ ସେ ଅନୁରୋଧ କରିଛନ୍ତି। ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି। ପ୍ରଥମେ ସମ୍ବଲପୁର ତା’ପରେ ରେଢ଼ାଖୋଲ, ଅନୁଗୋଳ ଓ ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ମାଗିଛନ୍ତି। ସମ୍ବଲପୁର ଓ ଢେଙ୍କାନାଳର ଲୋକ ସଭା ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ସେ ଅନୁରୋଧ କରିଥିଲେ। ସବୁଠି ବିଶାଳ ଜନସଭାକୁ ସମ୍ବୋଧିତ କରି ସିଧା ଲୋକଙ୍କଠାରୁ ଯୋଜନାର ସୁଫଳ ବିଷୟରେ ମତାମତ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ‘ନବୀନ ପଟ୍ଟନାୟକ ଭଲ କି’ ପ୍ରଶ୍ନରେ ‘ହଁ’ ଧ୍ୱନିରେ ପ୍ରତିଧ୍ୱନିତ ହୋଇଥିଲା ସଭାସ୍ଥଳ। ସ୍ବଳ୍ପ ଭାଷଣରେ ସ୍ବଳ୍ପ ଶବ୍ଦରେ ନବୀନ ବିରୋଧୀଙ୍କୁ କଟୁ ସମାଲୋଚନା କରିଛନ୍ତି। ବିରୋଧୀ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତେଣୁ ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଜନତାଙ୍କୁ ଅନୁରୋଧ କରିଥିଲେ ନବୀନ। ନବୀନ ସରକାର ସବୁ ବର୍ଗର ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି। କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ଖୁବ୍‌ଶୀଘ୍ର ପ୍ୟାକେଜ ଆସିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଚାର ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜନତାଙ୍କୁ ଉଦ୍‌ବୋଧନ ଦେଇ ଶଙ୍ଖରେ ଆଶୀର୍ବାଦ ମାଗିବା ସହ ବିରୋଧୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ। ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିପୁଳ ଜନ ସମାବେଶ ଦେଖି ବିରୋଧୀଙ୍କ ଆତ୍ମବିଶ୍ୱାସ ଭାଙ୍ଗିଗଲାଣି। ତେଣୁ ସେମାନଙ୍କ ନେତାମାନେ ବାହାରୁ ଆସି ନବୀନବାବୁଙ୍କୁ ଅସମ୍ମାନିତ କରୁଛନ୍ତି। ଆପଣମାନେ ସେହି ବ୍ୟକ୍ତିମାନଙ୍କୁ କଡ଼ା ଜବାବ ଦିଅନ୍ତୁ ବୋଲି ପାଣ୍ଡିଆନ ଆହ୍ବାନ ଦେଇଥିଲେ।

Share