ଆଜି ଜାଗା ମିଶନ ପଟ୍ଟା ବାଣ୍ଟିବେ ମୁଖ୍ୟମନ୍ତ୍ରୀ: ଅଯୋଗ୍ୟ ହିତାଧିକାରୀଙ୍କ ଉପରେ ନଜର

ଭୁବନେଶ୍ୱର,୨୮।୮(ବନ୍ଦନା ସେଠୀ): ‘ଜାଗା ମିଶନ’ରେ ମାଗଣାରେ ଜମି ପଟ୍ଟା ପାଇବେ ବସ୍ତି ବାସିନ୍ଦା। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତ ତାଲିକାରେ ଭୂତ ହିତାଧିକାରୀ ସ୍ଥାନ ପାଇବା ଓ ବହୁ ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ହେବାକୁ ନେଇ ବିବାଦ ଲାଗି ରହିଥିବାବେଳେ ସୋମବାର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ୫୧ହଜାର ହିତାଧିକାରୀ ପଟ୍ଟା ପାଇବାକୁ ଥିବାବେଳେ ପ୍ରଥମ ଦିନରେ ୫ହଜାର ଜମିପଟ୍ଟା ବଣ୍ଟନ କରାଯିବ। ଏଥିରେ ବହୁ ଅଯୋଗ୍ୟ ହିତାଧିକାରୀ ପଟ୍ଟା ହାତେଇବା ନେଇ ଆଶଙ୍କା ରହିଥିବାରୁ ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ରାଜଧାନୀର ବିଭିନ୍ନ ବସ୍ତିରେ ଉଷା ସର୍ଭେ କରାଯାଇ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଦାୟିତ୍ୱରେ ଥିଲେ ବସ୍ତି ଉନ୍ନୟନ କର୍ତ୍ତୃପକ୍ଷ (ଏସ୍‌ଡିଏ)। ହେଲେ ବର୍ଷ ବର୍ଷ ଧରି ବସ୍ତିରେ ରହୁଥିବା ଲୋକଙ୍କୁ ବାଦ୍‌ ଦିଆଯାଇ ବସ୍ତିରେ ରହୁ ନ ଥିବା ଅନେକ ଅଯୋଗ୍ୟଙ୍କୁ ତାଲିକାଭୁକ୍ତ କରାଯାଇଛି। ଏପରିକି ଜାଗା ମିଶନ ସର୍ଭେରେ ଜାଲିଆତି ହୋଇଥିବା ବିଏମ୍‌ସି ମଧ୍ୟ ସ୍ବୀକାର କରିଛି। ଗୋଟିଏ କି ଦୁଇଟି ବସ୍ତିରେ ନୁହେଁ, ରାଜଧାନୀର ଅନେକ ବସ୍ତିରେ ମାଳମାଳ ଭୂତ ହିତାଧିକାରୀ ସାମ୍ନାକୁ ଆସିଛନ୍ତି। ବାଲିତୋଟା ସାହି ହେଉ ଅବା ଶ୍ରୀରାମ ନଗର ବସ୍ତି ଅବା ନୀଳକଣ୍ଠ ନଗର ବସ୍ତି ସବୁଠାରେ ଏକାଧିକ ଲୋକଙ୍କ ନାମ ଜାଗା ମିଶନ ତାଲିକାରେ ଯୋଡାଯାଇଛି। ଯେଉଁମାନେ କେବେ ବି ବସ୍ତିରେ ରହି ନ ଥିଲେ କି ରହୁ ବି ନାହାନ୍ତି। ସେଠାକାର ବସ୍ତି ବାସିନ୍ଦା କେବେ ସେମାନଙ୍କୁ ଦେଖି ନାହାନ୍ତି। ଏବେ ସେମାନଙ୍କୁ ପଟ୍ଟା ମିଳିବ ବୋଲି ତାଲିକାରେ ପ୍ରକାଶ ପାଇବା ପରେ ଅସନ୍ତୋଷ ବଢି ଚାଲିଛି।

Share