ପାଣ୍ଡିଆନଙ୍କୁ ବିଜେଡିରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ, ଅନେକ ବର୍ଷ ହେବ ସେ…

ଭୁବନେଶ୍ୱର.୨୭।୧୧: ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରେ ସ୍ବାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଣ୍ଡିଆନଙ୍କୁ ମୁଁ ବିଜେଡିରେ ସ୍ବାଗତ କରୁଛି। ସେ ଅନେକ ବର୍ଷ ହେବ ରାଜ୍ୟ ପାଇଁ କଠିନ ପରିଶ୍ରମ କରୁଛନ୍ତି। ସେ ଦଳରେ ଜଣେ ସଦସ୍ୟ ଭାବେ ତାହା ଜାରି ରଖିବେ। ମୁଁ ତାଙ୍କୁ ଶୂୁଭେଚ୍ଛା ଜଣାଉଛି।
ସୂଚନାଯୋଗ୍ୟ, ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ପାଣ୍ଡିଆନ୍‌ ଆଜି ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ଉଷା ଦେବୀ, ବାସନ୍ତୀ ହେମ୍ବ୍ରମ, ମାନସ ମଙ୍ଗରାଜ, ସମୀର ଦାଶ, କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଣବ ପ୍ରକାଶ ଦାସ ପାଣ୍ଡିଆନ୍‌ଙ୍କୁ ଶଙ୍ଖ ବ୍ୟାଚ୍‌ ପିନ୍ଧାଇଥିଲେ। ବିଜେଡିରେ ମିଶିବା ପରେ ପାଣ୍ଡିଆନ୍‌ ଶଙ୍ଖ ଭବନରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।
ଗତ ଅକ୍ଟୋବର ୨୩ତାରିଖରେ ଭିକେ ପାଣ୍ଡିଆନ ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ତାଙ୍କୁ ୫ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା।

Share