ରାଉରକେଲା ଅଫିସ,୨୯।୧୨: ଆସନ୍ତା ଜାନୁଆରୀ ୧୩ ତାରିଖରେ ଷ୍ଟିଲସିଟି ରାଉରକେଲାରେ ପ୍ରଥମ କରି ପୁରୁଷ ହକି ବିଶ୍ୱକପ୍ ଖେଳାଯିବ। ଏଥିପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ଏଠାରେ ହକିର ଅଭ୍ୟାସ ମ୍ୟାଚ୍ ହେଉଛି। ଷ୍ଟାଡିୟମର ଉଦ୍ଘାଟନୀ ଉତ୍ସବ ଏବଂ ରାଉରକେଲା ସହରରେ ପ୍ରଥମ ପର୍ଯ୍ୟାୟରେ ୨୫ଟି ‘ମୋ’ ବସ୍ ଚଳାଚଳ ଶୁଭାରମ୍ଭ କରିବା ପାଇଁ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ହକି ବିଶ୍ୱକପ୍କୁ ଦୃଷ୍ଟିରେ ରଖି ସହରରେ ହୋଇଥିବା ଅନ୍ୟ ଉନ୍ନତିମୂଳକ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ରାଉରକେଲା ଏଡିଏମ୍ ଡ. ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି।