୨୭ରେ ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର,୨୧ା୧(ବି.ଶଙ୍କର): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପ ଆସନ୍ତା ୨୭ରେ ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଫଳକ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ମୁଖ୍ୟମନ୍ତ୍ରୀ ହୋମ ଯଜ୍ଞରେ ସାମିଲ ହୋଇ ଦେବୀଙ୍କୁ ଅରାଧନା କରିବେ। ସମଲେଶ୍ୱରୀ ଅସ୍ଥାୟୀ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଭାପତି ସଞ୍ଜୟ କୁମାର ବାବୁ ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଥିଲେ, ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୨୯ ଜିଲା ଓ ଛତିଶଗଡ ରାଜ୍ୟର ମନ୍ଦିରଗୁଡିକୁ ନିମନ୍ତ୍ରଣ ଦିଆହୋଇଛି । ଲୋକାର୍ପଣ ପରିପ୍ରେକ୍ଷୀରେ ଚାରି ଦ୍ୱାର ଓ ମନ୍ଦିର ସମ୍ମୁଖରେ ହୋମ ଯଜ୍ଞ ଓ ଚଣ୍ଡୀପାଠ ହେବ। ପଣ୍ଡିତ ମହେନ୍ଦ୍ର ପୂଜାହାରୀଙ୍କ ନେତୃତ୍ୱରେ ୩୦ଜଣ ପଣ୍ଡିତ ପୂଜାକାର୍ଯ୍ୟ ସମ୍ପାଦନ କରିବେ। ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଛି। ୨୨ ତାରିଖରେ ଅଙ୍କୁରାରୋପଣ, ୨୬ରେ କଳସ ଯାତ୍ରା ଓ ଅଧିବାସ ନୀତି ହେବ। ମହାନଦୀ ଅଯୋଧ୍ୟା ସରୋବର ଘାଟରୁ ୧ହଜାର ୧ଶହ ମହିଳା କଳସ ଶୋଭାଯାତ୍ରାରେ ସାମିଲ ହେବେ। ୨୭ ତାରିଖ ଲୋକାର୍ପଣ ଦିବସରେ ମୁଖ୍ୟ ମଣ୍ଡପ ସମେତ ଅନ୍ୟ ୪ଟି ମଣ୍ଡପରେ ହୋମ କରାଯିବ। ସନ୍ଧ୍ୟାରେ ମହାନଦୀ ଆଳତି ହେବ। ଏଥିରେ ସମ୍ବଲପୁର ଓ ଛତିଶଗଡ ଚନ୍ଦ୍ରହାସୀନି ପୀଠର ୧୪ଜଣ ପଣ୍ଡିତ ସାମିଲ ହେବେ। ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ୩୧ରେ ଯଜ୍ଞର ପୂର୍ଣାହୁତି ହେବ। ଖବରଦାତା ସମ୍ମିଳନୀରେ ଟ୍ରଷ୍ଟବୋର୍ଡ ସଭ୍ୟ ପ୍ରଫୁଲ୍ଳ କୁମାର ହୋତା, ଦେବ କୁମାର ଆଜମେରିଆ, ସନ୍ତୋଷ ପୃଷେଠ, ଅନିନ୍ଦିତ ଦାଶ ଓ ହେମନ୍ତ ମିଶ୍ର ଉପସ୍ଥିତ ଥିଲେ ।

Share