
କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ମା’ କାଳୀ ତୀର୍ଥ ମଣ୍ଡପରେ ରାଜ୍ୟସ୍ତରୀୟ ସନାତନ ଧର୍ମ ସୁରକ୍ଷା ପରିଷଦ ଆନୁକୂଲ୍ୟରେ ୧୧୪ କୁଣ୍ଡିୟ ତିନିଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ମହାଯଜ୍ଞ ଏପ୍ରିଲ ୧୦ରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଳିବ ବୋଲି ସନାତନ ଧର୍ମ ସୁରକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କ୍ୁହାଯାଇଛି।
ମହାଯଜ୍ଞରେ ୧୧୪ଟି ଯଜ୍ଞ କୁଣ୍ଡ, ୨୨୮ଜଣ କର୍ତ୍ତା, ୨୫୦ରୁ ଊର୍ଦ୍ଧ୍ୱ ବ୍ରାହ୍ମଣ, ୫୦୦ରୁ ଊର୍ଦ୍ଧ୍ୱ ସାଧୁ ସନ୍ୟାସୀଙ୍କ ସହ ଓଡ଼ିଶା ବାହାରୁ ସନାତନୀ ପୁରୋଧାମାନେ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୦ ତାରିଖରେ ଯୋଗ ଦେବେ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
୮ ତାରିଖ ସନ୍ଧ୍ୟା ୫ଟାରେ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୨ ତାରିଖ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟହ ସନ୍ଧ୍ୟା ୬ରୁ ପାଲା, ଦାଶକାଠିଆ, ପ୍ରବଚନ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ରହିବ। ଏପରିକି ସନ୍ଧ୍ୟା ୭ଟାରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି।
ଏହି ଅବସରରେ ଆବାହକ ନିରଞ୍ଜନ ଦାଶ ଯଜ୍ଞର ଉଦ୍ଦେଶ୍ୟ ଏବଂ ମହତ୍ୱ ଉପରେ ଆଲୋଚନା କରିଥିଲେ। ମନୋରଞ୍ଜନ ପାଢ଼ୀ, ଆଡ଼ଭୋକେଟ ଡ. ଦେବଦତ୍ତ ଷଡ଼ଙ୍ଗୀ ଯଜ୍ଞର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ସଭାପତି ମଧୁସୂଦନ ମିଶ୍ର ଯଜ୍ଞ ପାଇଁ ହୋଇଥିବା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ସୁବାହୁ ଦାଶ ଯଜ୍ଞର କାର୍ଯ୍ୟସୂଚୀ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଳୀତୀର୍ଥ ପରିଚାଳନା କମିଟିର ଅଜୟ କୁମାର ମିଶ୍ର, ବାବା ଯୋଗେନ୍ଦ୍ର ମହାରାଜ ଓ ରତିକାନ୍ତ ପତିଙ୍କ ସହ ବିଭିନ୍ନ ବ୍ୟକ୍ତି ବିଶେଷମାନେ ଉପସ୍ଥିତ ଥିଲେ।