ଆଜି ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାରଠାରୁ ସପ୍ତାହବ୍ୟାପୀ ଜାପାନ ଗସ୍ତରେ ଯାଉଛନ୍ତି। ତାଙ୍କର ଏହି ବିଦେଶ ଗସ୍ତକାଳରେ ଏକାଧିକ କାର୍ଯ୍ୟକ୍ରମ ରହିଛି। ଟୋକିଓ, କ୍ୟୁଟୋ ଏବଂ ଓସାକା ଆଦି ୩ ସହରରେ ବାଣିଜି୍ୟକ ସମ୍ମିଳନୀ ଏବଂ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଜାପାନ୍‌ ଯିବେ ବୋଲି ଜଣାପଡ଼ିଛି। ଆସନ୍ତା ସପ୍ତାହ ଅର୍ଥାତ୍‌ ୧୦ କିମ୍ବା ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବା କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ସୋମବାର ପୂର୍ବାହ୍ନ ୯ଟା ୪୫ ମିନିଟ୍‌ରେ ଭୁବନେଶ୍ବରରୁ ଜାପାନ ଗସ୍ତରେ ବାହାରିବେ। ଜାପାନିଜ୍‌ ନିବେଶକଙ୍କୁ ଆକୃଷ୍ଟ କରିବାକୁ ସେ ଗସ୍ତ କରୁଛନ୍ତି। ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀର ଗତ ୨ଟି ସଂସ୍କରଣ (୨୦୧୮ ଏବଂ ୨୦୨୨)ରେ ଜାପାନ ଏକ କଣ୍ଟ୍ରି ପାର୍ଟନର ରହିଥିଲା। ବିଦେଶୀ ପୁଞ୍ଜି ପାଇଁ ସେ କେତେକ ପ୍ରମୁଖ ନିବେଶକଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା କୁହାଯାଉଛି। ଜାପାନ ସହ ଅନେକ କ୍ଷେତ୍ରରେ ଓଡ଼ିଶାର ବାଣିଜି୍ୟକ ସମ୍ପର୍କ ଥିବାରୁ ନିବେଶ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ।

Share