ରାଜସ୍ଥାନ, ତେଲେଙ୍ଗାନା ପରେ ଏବେ ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ତାଲିକାଭୁକ୍ତ କଲେ ଏହି ରାଜ୍ୟ ସରକାର

ଲକ୍ଷ୍ନୌ,୨୧।୫: ଗୋଟିଏ ପଟେ କରୋନା ଭାଇରସ୍‌ ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ବ୍ଲାକ୍‌ ଫଙ୍ଗସ୍‌ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଦେଶର ବିଭିନ୍ନ ରାଜ୍ୟରୁ ଏହି ମାମଲା ସାମ୍ନାକୁ ଆସୁଥିବା ବେଳେ ପ୍ରତିଦିନ ଏହାର ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାଜସ୍ଥାନ, ତେଲେଙ୍ଗାନା ଓ ଓଡ଼ିଶା ସରକାର ଏହାକୁ ମହାମାରୀ ଘୋଷଣା କରିଛନ୍ତି। ଏହିକ୍ରମରେ ଉତ୍ତରପ୍ରଦେଶ ସରକାର ମଧ୍ୟ ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ବୋଲି ଘୋଷଣା କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ପୋଷ୍ଟ କୋଭିଡ ଅବସ୍ଥାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଚିହ୍ନଟ ହୋଇଥିବା ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କୁ ଉଚିତ୍‌ ଚିକିତ୍ସା ଯୋଗାଇଦିଆଯିବା ନେଇ ବ୍ୟବସ୍ଥା କରାଯାଉଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏଥିସହ ସେ କହିଛନ୍ତି, ଉତ୍ତରପ୍ରଦେଶ ଅନେକ ରାଜ୍ୟ ତଥା ନେପାଲ ସୀମା ସହ ସଂଯୁକ୍ତ ରହିଛି। ଏଭଳି ସ୍ଥିତିରେ ଅବହେଳା କିମ୍ବା ଅସଚେତନତା ଗ୍ରହଣୀୟ ନୁହେଁ। ତେଣୁ ବର୍ତ୍ତମାନ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି କୋଭିଡ-୧୯ ନିୟନ୍ତ୍ରଣ ପାଇଁ ଦୃଢ଼ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Share