ଭୁବନେଶ୍ବର,୧୩ା୯(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି। ଆସନ୍ତା ୧୪ରେ ମୁମ୍ବାଇର ଏକ ଘରୋଇ ହୋଟେଲ୍ରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍’ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏଥିରେ ଦେଶର ବିଶିଷ୍ଟ ଉଦ୍ୟୋଗପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ଦେଶର ବଡ଼ ବଡ଼ ଉଦ୍ୟୋଗୀଙ୍କ ସମେତ ବହୁ ନାମୀଦାମୀ ସଂସ୍ଥା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିଭିନ୍ନ ସଂସ୍ଥା ରାଜ୍ୟ ସରକାରଙ୍କ ସହିତ ଚୁକ୍ତିପତ୍ର ସ୍ବାକ୍ଷରିତ କରିବେ। ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ କରାଇବା ଲାଗି ମୁଖ୍ୟମନ୍ତ୍ରୀ ପୁଞ୍ଜିପତିଙ୍କୁ ଡାକି ଏହି କନ୍କ୍ଲେଭ୍ରେ ଆଲୋଚନା କରୁଛନ୍ତି। ନବୀନ ଆସନ୍ତା ୧୫ରେ ଓଡ଼ିଶା ଫେରିବେ। ଏଥିରେ ଓଡ଼ିଶାର ବହୁ ସଚିବ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।