ଲୋକାଭିମୁଖୀ ବଜେଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୨୬ା୬(ଅନିଲ ଦାସ): ଗୁରୁତର ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟର ଖଣିଜ ସମ୍ପଦ ଜିଲାରେ ଟ୍ରମା କେୟାର ସେଣ୍ଟର ନିର୍ମାଣ ହେବ। ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌) ଅର୍ଥରେ ଏହି ସେଣ୍ଟର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରିଛନ୍ତି। ସେ ଖଣିଜ ପାଣ୍ଠିର ସୁବିନିଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଖଣିଜ ସମ୍ପଦ ଥିବା ଜିଲା ମେଡିକାଲ କଲେଜଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଲୋକାଭିମୁଖୀ ବଜେଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୂଆ ସରକାରଙ୍କ ଉପରେ ଜନସାଧାରଣଙ୍କ ବହୁ ଆଶାଆକାଂକ୍ଷା ରହିଛି। ରାଜ୍ୟ ଯୋଜନା ବଜେଟରେ ଏହା ପ୍ରତିଫଳିତ ହେବା ଆବଶ୍ୟକ ବୋଲି ସେ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ଯୋଜନାଗୁଡ଼ିକ ଯେପରି ତୃଣମୂଳ ସ୍ତରରେ ଠିକ୍‌ ଭାବରେ ପହଞ୍ଚିବ ଓ ଲୋକମାନେ ଏହାର ସୁଫଳ ପାଇବେ ସେ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଦଳର ସଂକଳ୍ପ ଅନୁଯାୟୀ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ଏବଂ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ଟାସ୍କଫୋର୍ସ ଗଠନ କରିବା ସହ ଅନୁଧ୍ୟାନ କରି ପ୍ରସ୍ତାବ ଦେବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସଂକଳ୍ପପତ୍ରର ସମସ୍ତ ପ୍ରମୁଖ ପ୍ରତିଶ୍ରୁତିଗୁଡ଼ିକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗର କାର୍ଯ୍ୟାବଳୀ ସମ୍ବନ୍ଧରେ ବିଶଦ ଭାବରେ ଅବଗତ କରାଇଥିଲେ।