Advertisement

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୁଚିଣ୍ଡା-ବଲାଙ୍ଗୀରରେ ଖୋଲିବ ୨ ନୂଆ ଆଇଟିଆଇ

ଭୁବନେଶ୍ବର, ୩ା୮(ବ୍ୟୁରୋ): ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ଼ଠାରେ ୨ଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଉପକୃତ ହେବେ। କୁଚିଣ୍ଡାରେ ନୂଆ ସରକାରୀ ଆଇଟିଆଇ ପ୍ରତିଷ୍ଠା ଦ୍ବାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବସମାଜ ଉପକୃତ ହେବେ। ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ୪ ଗୋଟି ଟ୍ରେଡ୍‌ରେ ଏଠାରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ମିଳିବ। ସମ୍ବଲପୁର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠୁଥିବାରୁ ଏହା ଛାତ୍ରୀଛାତ୍ରମାନଙ୍କ ପାଇଁ ବିପୁଳ ଓ ଆତ୍ମନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେବ। ସେହିପରି ବଲାଙ୍ଗୀରର ପାଟଣାଗଡ଼ଠାରେ ପ୍ରତିଷ୍ଠିତ ଆଇଟିଆଇରେ ମଧ୍ୟ ୪ଟି ଟ୍ରେଡ୍‌ରେ ୨୪୦ ପିଲା ଶିଳ୍ପ ତାଲିମ ପାଇପାରିବେ। ବୃତ୍ତିଗତ ତାଲିମ ବ୍ୟବସ୍ଥା ଦ୍ବାରା ବ୍ଲକ୍‌ର ଯୁବତୀଯୁବକମାନଙ୍କ ଦକ୍ଷତା ବୃଦ୍ଧି ହେବା ସହିତ ନିଯୁକ୍ତି/ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share