ପୋଲିସ ଆଉଟ ପୋଷ୍ଟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ହିଞ୍ଜିଳିକାଟୁ,୪ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ ଅନ୍ତର୍ଗତ ପିତ୍ତଳ ଛକରେ ଏକ ପୋଲିସ ଆଉଟପୋଷ୍ଟ ସ୍ଥାପନ ନିମନ୍ତେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସ୍ବୀକୃତି ମିଳିଛି। ଏଥି ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପତ୍ର ସଂଖ୍ୟା ୧୮୪୪୧ ତା. ୦୩.୦୬.୨୦୨୨ ରିଖରେ ପିତ୍ତଳ ଛକ ନିକଟରେ ଏକ ପୋଲିସ ଆଉଟ ପୋଷ୍ଟ ଖୋଲାଯିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ଦର୍ଶାଯାଇଛି। ଏହି ଆଉଟ ପୋଷ୍ଟରେ ଜଣେ ସବ ଇନ୍ସପେକ୍ଟରଙ୍କ ସହ ଜଣେ ହାବିଲଦାର ଓ ୬ ଜଣ କନଷ୍ଟେବଳ କାର୍ଯ୍ୟରତ ରହିବେ।
ପ୍ରକାଶ ଥାଉ କି, ହିଞ୍ଜିଳିକାଟୁ- ଆସିକା ମଧ୍ୟରେ ଜାତୀୟ ରାଜପଥ ନଂ ୫୯ ଉପରେ ଏହି ଗୁରୁତ୍ୱପୂର୍ଣ୍ଣ ଛକରେ ବିଭିନ୍ନ କାରଣ ପାଇଁ ଏଠାରେ ପୋଲିସ ଆଉଟପୋଷ୍ଟ ନିମନ୍ତେ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ଗତ ୨୨ ମାର୍ଚ୍ଚ ମାସରେ ଏହି ଛକରେ ସାମାନ୍ୟ କମେଣ୍ଟମରା ଘଟଣାକୁ କେନ୍ଦ୍ର କରି ୪ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି ହେବା ସହ ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ସୁଧାରିବା ନିମନ୍ତେ ଆଉଟପୋଷ୍ଟ ସ୍ଥାପନ ନିମନ୍ତେ ଦାବି ଜୋରଦାର ହୋଇଥିଲା। ଗଞ୍ଜାମ ଜିଲାପାଳ ଓ ଏସପି ପିତ୍ତଳ ଛକରେ ପୋଲିସ ଆଉଟପୋଷ୍ଟ ସ୍ଥାପନ ନିମନ୍ତେ ଲୋକଙ୍କ ଦାବିକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୋଲିସ ଆଉଟପୋଷ୍ଟ ସ୍ଥାପନ ନେଇ ବିଭାଗୀୟ ସ୍ବୀକୃତି ପରେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ଆଶା କରାଯାଉଛି।