ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଗାନ୍ଧୀ ଜୟନ୍ତୀ ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ବରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି। ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପବିତ୍ର ମାଟି ଓ ଜଳ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ସ୍ବରାଜ ବୃକ୍ଷରୋପଣ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଶ୍ବତ୍ଥ ବୃକ୍ଷ ସାରା ଦେଶରେ ଯୁଗ ଯୁଗ ଧରି ଶାନ୍ତି, ସ୍ବାଧୀନତା ଓ ଅହିଂସାର ବାର୍ତ୍ତା ବହନ କରିଆସିଛି ଏବଂ ଯୁଗ ଯୁଗ ପାଇଁ ଏ ବାର୍ତ୍ତା ବହନ କରିଚାଲିବ। ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।
ଏହି ଅବସରରେ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି, ନୀଳମଣି ସାମଲ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ପ୍ରତୀକ ଭାବେ ଏକ ଅରଟ ଉପହାର ପ୍ରଦାନ କରିଥିଲେ। ସାରା ରାଜ୍ୟରେ ବୁଲି ବୁଲି ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ଅହିଂସା ରଥ ଆସି ଲୋକସେବା ଭବନରେ ପହଞ୍ଚିଥିଲା। ଏହାକୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଆହିଂସା ରଥକୁ ଓଡ଼ିଶାବାସୀ ଯେଭଳି ଭାବରେ ବିପୁଳ ସ୍ବାଗତ ସମ୍ମାନ ଜଣାଇଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ମନ୍ତ୍ରିମଣ୍ଡଳର ସଦସ୍ୟ ବୃନ୍ଦ ବିଧାୟକ ଗଣ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଶିଷ୍ଟ ଗାୟିକା ନାଜିଆ ଆଲାମ ରାମଧୂନ୍ ଗାନ କରିଥିଲେ।