ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ଭୁବନେଶ୍ୱର,୨୫ା୧୦: ଶୁକ୍ରବାର ସକାଳୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ବାତ୍ୟା ‘ଦାନା’ର ପରବର୍ତ୍ତୀ ସମୀକ୍ଷା କରିଛନ୍ତି। ଉକ୍ତ ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ଓ୍ବାଇ ବି ଖୁରାନିଆ, ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରମୁଖ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲାର ଜିଲାପାଳଙ୍କ ସହ କଥା ହୋଇଛନ୍ତି।

ସେହିପରି ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ଅର୍ଥାତ୍‌ ଗୁରୁବାର ରାତିରେ ମୁଖ୍ୟମନ୍ତ୍ରୀ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ବାତ୍ୟା ସମୀକ୍ଷା କରିଥିଲେ। ୫ ଲକ୍ଷ ୮୪ ହଜାର ୮୮୮ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।  ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏନ୍‌ଡିଆର୍‌ଏଫ୍‌, ଓଡିଆର୍‌ଏଫ୍‌, ଓଡ୍ରାଫ୍‌ ଏବଂ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି। ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଥିବା ସେ କହିଛନ୍ତି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଗୁରୁବାର ପାରାଦୀପରେ ୬୨.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୪୬.୨, ରାଜକନିକା ୨୭, ରାଜନଗର ୨୪, ନୀଳଗିରି ୨୩, ପଟ୍ଟାମୁଣ୍ଡାଇ ୨୨.୫, ସୋରୋ ୧୯, ବେତନଟୀ ୧୯, ଔପଦା ୧୮, ଧାମନଗର ୧୬, ସାରସକଣାରେ ୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଦାନାର ପ୍ରଭାବ କେବଳ ଓଡ଼ିଶାରେ ସୀମିତ ରହିନାହିଁ। ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ମଧ୍ୟ ବାତ୍ୟା ପ୍ରକୋପ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ୩.୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ସାଟେଲାଇଟ୍‌ ମାଧ୍ୟମରେ ନଜର ରଖାଯାଇଥିଲା।

Share