ରାସ୍ତାରେ ବୁଲି ମୋଜା ବିକ୍ରି କରୁଥିବା ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା…

ଲୁଧିଆନା,୮।୫: ପଞ୍ଜାବର ଲୁଧିଆନାରେ ରାସ୍ତାରେ ବୁଲି ମୋଜା ବିକ୍ରି କରି ପରିବାର ପୋଷୁଥିବା ଜଣେ ୧୦ ବର୍ଷ ବୟସ୍କ ନାବାଳକଙ୍କ ଭିଡ଼ିଓ ଶୁକ୍ରବାର ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିଲା। ୧ ମିନିଟ୍‌ ୨୩ ସେକେଣ୍ଡର ଏହି ଭିଡ଼ିଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପାଖରେ ପହଞ୍ଚିଥିଲା। ଏହି ନାବାଳକ ହେଉଛନ୍ତି ବଂଶ୍‌ ସିଂ। ଜଣେ ଗ୍ରାହକଙ୍କୁ ମୋଜା ବିକ୍ରି କରିବା ସମୟରେ ସେ ୫୦ ଟଙ୍କା ଅଧିକ ନେବାକୁ ମନା କରିଥିଲେ। ନିଜ ପରିଶ୍ରମ ଓ ମୋଜାର ଦାମ୍‌ ତୁଳନାରେ ଅଧିକ ଟଙ୍କା ନେବାକୁ ମନା କରୁଥିବା ବଂଶ୍‌ଙ୍କ ଭିଡ଼ିଓ ସମ୍ପୃକ୍ତ ଗ୍ରାହକ ରେକର୍ଡିଂ କରି ସୋସିଆଲ୍‌ ମିଡ଼ିଆରେ ଅପ୍‌ଲୋଡ୍‌ କରିଥିଲେ। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ବଂଶ୍‌ଙ୍କ ସହିତ ଭିଡ଼ିଓ କଲିଂରେ କଥାବାର୍ତ୍ତା ହେବା ସହିତ ତାଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପରିବାରର ଆର୍ଥିକ ଅବସ୍ଥା ଖରାପ ହେବାରୁ ବଂଶ୍‌ ସ୍କୁଲ୍‌ ପାଠପଢ଼ା ଅଧାରୁ ଛାଡ଼ିଥିଲେ। ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଜିଲା ପ୍ରଶାସନ ସହିତ ଆଲୋଚନା କରି ବଂଶ୍‌ଙ୍କୁ ପୁଣି ସେ ପୂର୍ବରୁ ପଢୁଥିବା ସ୍କୁଲରେ ନାମ ଲେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ବଂଶ୍‌ଙ୍କର ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Share