ଅନୁଗୋଳ ଜିଲାରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଲୋକସେବା ଭବନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ଓଡିଶାରେ ଶିଳ୍ପର ବିକାଶ ପାଇଁ ଜିନ୍ଦଲଙ୍କ ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଆଗାମୀ ସଂପ୍ରସାରଣ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରାମାଞ୍ଚଳରେ ପ୍ରତିଭାବାନ୍‌ କ୍ରୀଡ଼ାବିତ୍‌ଙ୍କୁ ସୁଯୋଗ ଦେବାକୁ ଉପଯୁକ୍ତ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଏଥିପାଇଁ ଅନୁଗୋଳ ଜିଲାରେ ଗୋଟିଏ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଜିନ୍ଦଲଙ୍କୁ ପ୍ରସ୍ତାବ ଦେଇଥିଲେ।

Share