ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼, କଳାହାଣ୍ଡି, ନୂଆପଡ଼ା ଗସ୍ତ

ବରଗଡ଼ ଅଫିସ୍‌/ନୂଆପଡ଼ା ଅଫିସ/ସୋହେଲା/ଭବାନୀପାଟଣା,୫।୩(ଡି.ଏନ.ଏ./ସ୍ବ.ପ୍ର.): ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ୩ ଜିଲା ବରଗଡ଼, ନୂଆପଡା ଓ କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ବରଗଡ଼ ଜିଲା ପଦ୍ମପୁର ନିକଟ ସତୀଭଟା ଏୟାରଷ୍ଟ୍ରିପକୁ ବି-୨୦୦ ଭିଟି-ଜେପିଭି ଏୟାରକ୍ରାଫ୍ଟ ଯୋଗେ ଆସି ସେଠାରେ ପୂର୍ବାହ୍ନ ୧୦ଟା ୩୦ରେ ମୁଖ୍ୟମନ୍ତ୍ରୀ ଓହ୍ଳାଇବେ। ସେଠାରୁ ଏକ ହେଲିକପ୍ଟରରେ ସୋହେଲା ବ୍ଲକ ହଲଦିପାଲିର ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚତ୍ବେ। ୪୫ ମିନିଟର ରହଣି ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଏହାପରେ ବିଜୁ ଏକ୍ସପ୍ରେସ ୱେରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ, ଛୁରିଆପାଲି ନିକଟ ଯାଯାବର ଆଶ୍ରୟସ୍ଥଳୀ, ପେଟୁପାଲି(ଭାତେନଡୁଙ୍ଗୁରି)ର ଶହୀଦ କୁଞ୍ଜେଲ ସିଂ ଶିଶୁପାର୍କ ଏବଂ ଘେଁସସ୍ଥିତ ମାଧୋ ସିଂ ପ୍ରତିମୂର୍ତ୍ତି ପରିସରରେ ସ୍ପଳ୍ପ ରହଣି ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ନେଇ ପୋଲିସ, ପ୍ରଶାସନ ମଧ୍ୟରେ ତତ୍ପରତା ପରିଲକ୍ଷିତ ହୋଇଛି। ସଭାସ୍ଥଳୀ ତଥା ସଭାମଞ୍ଚ ନିର୍ମାଣ ସରିଥିବାବେଳେ ସୋହେଲା ରାସ୍ତାପାର୍ଶ୍ୱ ମଧ୍ୟ ନୂଆରୂପ ସହିତ ସଜେଇ ହୋଇଛି। ବିଜୁ ଏକ୍ସପ୍ରେସ ୱେର ମୁଖଶାଳା ସୋହେଲାସ୍ଥିତ ସତ୍ୟାଗ୍ରହୀ ସ୍ମାରକ ପୀଠରେ ନୂଆ ରଙ୍ଗ ଦିଆଯାଇଛି। ରାସ୍ତାର ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ବିଭିନ୍ନ ଚିତ୍ର ଅଙ୍କାଯାଇଛି । ରୋଡ୍‌ ଶୋ ପାଇଁ ଏକ ସ୍ବତନ୍ତ୍ର ବସ୍‌ ପହଞ୍ଚି ସାରି ଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏସ୍‌ପି ପି.ଏସ୍‌. ମୀନାଙ୍କ ତତ୍ତ୍ବାବଧାନରେ ୪ଜଣ ଅତିରିକ୍ତ ଏସ୍‌ପି, ୭ଜଣ ଡିଏସ୍‌ପି, ୨୦ଜଣ ଇନ୍ସପେକ୍ଟର, ୧୦୦ଜଣ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ଏବଂ ୨୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ବରଗଡ଼ ପରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଜିଲା ଗସ୍ତ କରିବେ। ନୂଆପଡ଼ାରେ ବିଜୁ ଏକ୍ସପ୍ରେସ ୱେ, ନୂଆପଡ଼ା, ଖଡ଼ିଆଳ, ଖରିଆର ରୋଡଠାରେ ନବନିର୍ମିତ ଇନ୍‌ଡୋର ଷ୍ଟାଡିୟମ ଉଦ୍‌ଘାଟନ କରିବେ। ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ପରେ ଅପରାହ୍ନ ୩ଟା୧୫ରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ହାଇସ୍କୁଲ ପଡିଆରେ କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ। ସେଠାରେ ବିଜୁ ଏକ୍ସପ୍ରେସ ୱେ ଉଦ୍‌ଘାଟନ କରିବେ। ଏହାସହ ଧର୍ମଗଡ଼ ସରକାରୀ ବସ୍‌ଷ୍ଟାଣ୍ଡ ଓ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ ସହ ଜିଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ କରିବେ। ଅପରାହ୍ନ ୩ଟା ୫୫ରେ ବୃନ୍ଦାବାହାଲଠାରୁ ଆମପାଣି ୬୦ କି.ମି. ପର୍ଯ୍ୟନ୍ତ ନୂତନ ବିଜୁ ଏକ୍ସପ୍ରେସ୍‌ ରାସ୍ତାରେ ନବୀନ ରୋଡ୍‌ ଶୋ’ କରିବେ। ସେଠାରୁ ହେଲିକପ୍ଟର ଯୋଗେ ଉତ୍କେଲା ଏୟାରଷ୍ଟିପକୁ ଯାଇ ୫ଟା ୪୫ରେ ଭୁବନେଶ୍ବର ଫେରିବେ ା

Share