ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଓଡିଶାକୁ ଏକ ନମ୍ବର କରିଛି: ସୁଶାନ୍ତ

ଭୁବନେଶ୍ୱର, ୧୦।୧୦(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ୧୭ଟି ୱାର୍ଡରେ ଶେଷ ହୋଇଛି। ଷଷ୍ଠ ଦିନର ପଦଯାତ୍ରା ସମୟରେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ଆହ୍ବାନ ଦେବା ସହ ଶିଳ୍ପ, ଶିକ୍ଷା, କୃଷି, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆସିଛି ତାହା ବର୍ତ୍ତମାନ ଓଡିଶାକୁ ଭାରତରେ ଏକ ନମ୍ବର ରାଜ୍ୟ ଭାବେ ପ୍ରତିପାଦିତ କରିପାରିଛି। ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ କହିଲେ, ବର୍ତ୍ତମାନ ହଜାର ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇ ଓଡ଼ିଶାରେ ଶିଳ୍ପର ବିକାଶ କରାଯିବା ସହିତ ବେକାରୀ ସମସ୍ୟା ଦୂର କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ। ଆଗାମୀ ଦିନରେ ଓଡିଶା ସାରା ବିଶ୍ବରେ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ବିଏମସି ୱାର୍ଡ ନମ୍ବର ୯ ଅନ୍ତର୍ଗତ ଗାଡ଼କଣ ଗାଁ ଓ ୱାର୍ଡ ନଂ.୧୦ ଅନ୍ତର୍ଗତ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳ ଏବଂ ୱାର୍ଡ ନମ୍ବର ୧୧ ଭିଏସଏସ ନଗର ଅଞ୍ଚଳରେ ସୋମବାର ହୋଇଥିବା ପଦଯାତ୍ରାରେ ବହୁ ସଂଖ୍ୟାରେ ମହିଳା, ଯୁବ, ଛାତ୍ର ଓ ବରିଷ୍ଠ ନାଗରିକମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ଜନସମ୍ପର୍କ ପଦଯାତ୍ରାରେ ଅନ୍ୟତମ ଅତିଥି ଭାବେ ଓଡିଶା ମୋ ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ଶ୍ରୀମୟୀ ମିଶ୍ର, ସୁବାସ ଚନ୍ଦ୍ର ପାତ୍ର, କର୍ପୋରେଟର ସୁଷମା ସାହୁ ପ୍ରମୁଖ ଯୋଗଦେଇଥିଲେ।

Share