Categories: ରାଜ୍ୟ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୬ା୪: ସଂପ୍ରତି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ବିଶେଷ କରି ବିଭିନ୍ନ ସ୍ଥାନରେ ଦେଖାଦେଉଥିବା ପାନୀୟ ଜଳ ସମସ୍ୟାର ସମାଧାନ କରି ଜନସାଧାରଣଙ୍କୁ ଜଳ ଯୋଗାଣ କରିବା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି।

ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବାରୁ ସତର୍କତା ମୂଳକ ବିଭିନ୍ନ ପଦକ୍ଷେପ ନେବାକୁ ଜିଲ୍ଲାପାଳ ତଥା ସଂପୃକ୍ତ ବିଭିନ୍ନ ବିଭାଗମାନଙ୍କୁ ପରାମର୍ଶ ଦେଇଛନ୍ତି । ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ହେଉଥିବା ଦୀର୍ଘ ସମୟ ଧରି ସାଧାରଣ ସଭା ଖୋଲା ସ୍ଥାନରେ ନକରିବାକୁ ପରାମର୍ଶ ଦେଇଛନ୍ତି । ଦିନବେଳା ଅଧିକ ତାପମାତ୍ରା ଓ ଗୁଳୁଗୁଳି ହେଉଥିବାରୁ ରାଜନୈତିକ ଦଳ ମାନେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ମାର୍ଗଦର୍ଶିକା ସଠିକ୍ ଭାବେ ଅନୁପାଳନ କରନ୍ତୁ ।

ଶ୍ରମ ବିଭାଗ ନିର୍ଦ୍ଦେଶନାମା ଅନୁସାରେ ପୂର୍ବାହ୍ଣ ୧୧ ଟାରୁ ଅପରାହ୍ନ ୩.୩୦ ମଧ୍ୟରେ ଯେପରି ଶ୍ରମିକମାନେ ଅତ୍ୟଧିକ ଖରାରେ କାର୍ଯ୍ୟ ନ କରନ୍ତି, ସେଥି ପ୍ରତି ବିଭିନ୍ନ ବ୍ୟବସ୍ଥାରେ ତଦାରଖ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସବୁ ସ୍ଥାନରେ ଜଳଛତ୍ର କାର୍ଯ୍ୟକ୍ଷମ ହେବା ନିଶ୍ଚିତ କରାଇବାକୁ କହିଛନ୍ତି । ପାନୀୟ ଜଳ ସମସ୍ତଙ୍କ ପାଇଁ ପ୍ରାଥମିକ ଆବଶ୍ୟକତା । ନିର୍ବାଚନ ଆଦର୍ଶ ଆଚରଣ ବିଧି ଦୃଷ୍ଟିରୁ ବିନା ବ୍ୟାନରରେ କୌଣସି ପ୍ରଚାର ଉଦ୍ଦେଶ୍ୟରେ ବ୍ୟାନର ବା ଫଟୋ ନ ରଖି ଜଳଛତ୍ର ପରିଚାଳନା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Share