Categories: ଜାତୀୟ

ଅବସର ନେଲେ ଆଲାପନ ବନ୍ଦୋପାଧ୍ୟାୟ: ମିଳିଲା ନୂଆ ଦାୟିତ୍ୱ

କୋଲକାତା,୩୧।୫: ୩ ମାସ ବର୍ଦ୍ଧିତ କାର୍ଯ୍ୟକାଳ ସତ୍ତ୍ୱେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ ସୋମବାର ଅବସର ନେଇଛନ୍ତି। ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ସେ ଏହି ପଦବୀରେ ୩ ବର୍ଷ ରହିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ବନ୍ଦୋପାଧ୍ୟାୟଙ୍କ ଅବସର ପରେ ପଶ୍ଚିମବଙ୍ଗର ନୂତନ ମୁଖ୍ୟ ଶାସନ ସଚିବ ଭାବେ ହରି କ୍ରିଷ୍ଣା ଦ୍ୱିବେଦୀଙ୍କୁ ନିଯୁକ୍ତି ଦିଆଯାଇଛି।

ନିକଟରେ ବାତ୍ୟା ‘ୟାସ’ର କ୍ଷୟକ୍ଷତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ୩୦ ମିନିଟ ବଳମ୍ବରେ ପହଞ୍ଚି ଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ମୁଖ୍ୟ ଶାସନ ସଚିବ ବନ୍ଦୋପାଧ୍ୟାୟ। ଏପରିକି ମମତା ମୋଦିଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେଇ ବୈଠକରୁ ଚାଲି ଯାଇଥିଲେ।

ଏହାକୁ ନେଇ ବିବାଦ ଉପୁଜିଥିଲା। ଏହାର କିଛି ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଡକାଇବା ସହ ୩୧ ତାରିଖ ପୂର୍ବାହ୍ନ ୧୦ଟା ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ହେଲେ ବନ୍ଦୋପାଧ୍ୟାୟ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।

ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବନ୍ଦୋପାଧ୍ୟାୟଙ୍କ ବଦଳି ଉପରେ ରୋକ୍‌ ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏସବୁ ବିବାଦ ମଧ୍ୟରେ ବନ୍ଦୋପାଧ୍ୟାୟ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି। ଅବସର ନେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି।

Share